Unknown

 

 

 

 

 

 

 

 

 

 

 

ନୀଳପତ୍ର

ଶ୍ରୀ ବିପିନ ବିହାରୀ ଖମାରୀ

 

ସୂଚନା

 

କବି ଆମ୍ଭମାନଙ୍କୁ ଯାହା ଦିଅନ୍ତି ତାହା ସାଧାରଣ କଥାରେ ହେଉଛି-ଛନ୍ଦୋବଦ୍ଧ ବାକ୍ୟର ସମଷ୍ଟି । ବାକ୍ୟ ମଧ୍ୟରେ ଶବ୍ଦସମୂହ ଏପରି ଭାବରେ ସଜ୍ଜିତ ହୋଇଥାଏ ଯେ ପଠନ ସଙ୍ଗେ ସଙ୍ଗେ ଗୋଟିଏ ଝଙ୍କାର ଆମେ ଉପଲବ୍ଧି କରୁଁ । ଏହି ଝଙ୍କାର ପ୍ରଥମେ ସଙ୍ଗୀତ, ପରେ ଗୀତ, ତା ପରେ ଆବୃତ୍ତି ଏବଂ ବର୍ତ୍ତମାନ ଅବଧାରଣାରେ ଆସି ପହଞ୍ଚିଯାଇଛି ।

ଅଳଙ୍କାର ଦ୍ୱାରା ଶବ୍ଦସମୂହକୁ ସୁଷମ କରାଯାଇ ଆହୁରି ହୃଦୟଗ୍ରାହୀ କରାଯାଇଥାଏ । ତେଣୁ ଆପାତ ଦୃଷ୍ଟିରେ ଶବ୍ଦ-ସମ୍ଭାର ଉପରେ ହିଁ କାବ୍ୟର କୋଣାର୍କ ନିର୍ମିତ ହୁଏ; କିନ୍ତୁ କୋଣାର୍କର ଶିଳ୍ପ-ମହତ୍ତ୍ୱ ଭୁଲି କେବଳ ଯଦି ତାହାର ପ୍ରସ୍ତର ଚୟନ ଉପରେ ଆମର ଦୃଷ୍ଟି ନିବଦ୍ଧ ହୋଇ ରହେ, ତାହାହେଲେ ପ୍ରସ୍ତର ଖଣ୍ତର ମନୋହାରିତା ଦ୍ୱାରା ହିଁ ଆମେ ମୋହାବିଷ୍ଟ ହୋଇପଡ଼ିବା । ଭାରତୀୟ ଅଳଙ୍କାର ଶାସ୍ତ୍ରରେ ଠିକ୍ ଏଇ ପ୍ରକାର ବିଭ୍ରମ ଦୃଷ୍ଟିଗୋଚର ହୁଏ । ଆଧୁନିକ କବି ତେଣୁ ଏହି ମାୟା ମରୀଚିକାରୁ ଦୂରରେ ଥାଇ ରୂପ କଳ୍ପ, ପ୍ରତୀକତା, ପ୍ରତ୍ୟୟ (Concept), ଅତିକଥା (Myth), ରୂପାନ୍ତରର ଆଦିରୂପ (The archetype of transformation) ଇତ୍ୟାଦିର ଆଶ୍ରୟ ଗ୍ରହଣ କରି ସାରିଛି । ଗୋଟିଏ କାବ୍ୟଶିଳ୍ପ ପ୍ରଣାଳୀକୁ ପରିତ୍ୟାଗ କରି ଅନ୍ୟ ଏକ କାବ୍ୟଶିଳ୍ପ ପ୍ରଣାଳୀକୁ ଗ୍ରହଣ କରିବାର ପ୍ରୟାସ ବର୍ତ୍ତମାନ ଏକ ବିବଦମାନ ସମସ୍ୟା ସୃଷ୍ଟି କରି ସାରିଛି ।

କବି ଖମାରୀଙ୍କର ସଂଶିତ କାବ୍ୟ ସଂଗ୍ରହରେ ଏ ବିଷୟରେ ସଚେତନତା ଲକ୍ଷ୍ୟ କଲେ ମଧ୍ୟ ସେ ଏହା ପ୍ରୟୋଗ କରିବାରେ ବିଶେଷ ଉତ୍କଣ୍ଠା ପ୍ରକାଶ କରି ନାହାନ୍ତି ବୋଲି ଅନୁମାନ କରାଯାଏ । କାରଣ ସେ ତାଙ୍କର ‘ମୋ ଗୀତର ସ୍ୱର’ କବିତାରେ କହିଛନ୍ତି–

“ମୁଁ ଆଜି ଗାଇବି ଗୀତ

ଅତି ସାଦା ଶୁଷ୍କ କଣ୍ଠେ ମୋର

ମୋ ଗୀତର ତାଳ ଲାଗି

ଲୋଡ଼ା ନାହିଁ କିଛି

ତଥାପି ବି ମୋ ଗୀତଟି

ହୋଇବନି ନିହାତି ବେସୁରା

ତମ ଆଗେ ଏହା ମୋର ପ୍ରଥମ ଇସାରା ।”

 

ବରଂ କବି ଖମାରୀଙ୍କ କାବ୍ୟ-ଧର୍ମ ଚିରନ୍ତନ ଯନ୍ତ୍ରଣାବୋଧ ଉପରେ ପ୍ରତିଷ୍ଠିତ । ଏ ବିଷୟର ଅବଧାରଣା କଲା ସମୟରେ ସ୍ୱତଃ ‘ଫ୍ରେଞ୍ଜ୍ କାଫ୍‍କା’ଙ୍କୁ ମନେପଡ଼େ, ଯେଉଁଠି ସେ କହିଛନ୍ତି–“ଶ୍ରେଷ୍ଠ କାବ୍ୟ ଗ୍ରହଣ ଯେଉଁଠି ପ୍ରିୟତମ ବଂଧୁର ମୃତ୍ୟୁପରି ଆଘାତ ଦିଏ, ସେଇଠାରେ ହିଁ କବିଙ୍କର ଅଖଣ୍ତ ସାର୍ଥକତା ।” ସେହି ଦୃଷ୍ଟିକୋଣରୁ ‘ମୋ ଗୀତର ସ୍ୱର’ରେ ଯାହା କୁହାଯାଇଛି–

 

“ଏ ରଚନା ବାସ୍ତବରେ ଅଶ୍ରୁଭିଜା ଦୁଃଖରେ ଜର୍ଜର ।”

ଅଥବା

“ଆଜି ଅକସ୍ମାତ

ନିରାଶାର କୁହୁଡ଼ି ଓ

ହତାସାର କିଟି କିଟି

କଳା ମେଘ ସାଥେ

ଏଇ ଚାହାଁ, ଘୋଟି ଆସେ

ଅଶାନ୍ତିର ଝଡ଼...

ବିଷାଦର ବାତ୍ୟା...

ଅତୃପ୍ତିର ତୋଫାନ୍

ପଥ କାହିଁ, କାହିଁ ଲକ୍ଷ୍ୟସ୍ଥଳ ?”

(–ମନର ବୋଇତ)

 

ଲେଖକଙ୍କ ପକ୍ଷେ ସବୁଠାରୁ ବଡ଼ ତୃଟି ହେଉଛି ନିଜର ଅତ୍ୟଧିକ ଆତ୍ମକୈନ୍ଦ୍ରିକତା । କବି ଯଦି ବିଶ୍ଵଜନୀନ ଭାବ ପରିତ୍ୟାଗ କରି ସବୁ ସମୟରେ ନିଜ ଭାବରେ ନିମଜ୍ଜିତ ଥାନ୍ତି, ତାହାହେଲେ ସେ ପାଠକ ମନରେ ରେଖାପାତ କରି ପାରନ୍ତି ନାହିଁ । କବିଙ୍କ ବ୍ୟକ୍ତି ଚେତନା ଯେତେ ପ୍ରବଳ ହେଉନା କାହିଁକି, ସାମାଜିକ ହିସାବରେ ସମାଜ ଚେତନାପ୍ରତି ସେ ଉଦାସୀନ ରହି ପାରିବେ ନାହିଁ । ଔଦାସୀନ୍ୟମାନେ ହିଁ ପଳାୟନ ବୃତ୍ତି ଏବଂ ତାହା ସୁସ୍ଥ ମନର ପରିଚାୟକ ନୁହେଁ-। ଫରାସୀ ପ୍ରତୀକବାଦୀ ଅନେକ କବି ଏହି ବୃତ୍ତି ଅବଲମ୍ବନ କରି ବ୍ୟର୍ଥକାମ ହୋଇଛନ୍ତି । କବି ଖମାରୀ କିନ୍ତୁ ଏଇ ଅତ୍ୟାଧୁନିକ ପ୍ରୟୋଗପନ୍ଥୀଙ୍କ ପରି ଆତ୍ମକୈନ୍ଦ୍ରିକ ନୁହନ୍ତି ।

 

“ମୁଁ ଆଜିଉ ଠିଛି ସଖା

ଉଠିଛି ଏ ଜହ୍ନ ସାଥେ

ନିମିଳିତ ରାତ୍ରିର ପଲକେ

ଅଳସ ଓ ଚନ୍ଦ୍ରା କୋଳୁ

ପାରିଛି ମୁଁ ନିଜକୁ ଖସାଇ... ।”

(–ମୁଁ ଉଠିଛି)

ଗଦ୍ୟ କବିତା କିମ୍ଵା ସମଧର୍ମୀ ଛନ୍ଦୋବଦ୍ଧ ରଚନାର ପତିପତ୍ତି ବର୍ତ୍ତମାନ ବିଶେଷ ଭାବରେ ଚକ୍ଷୁଗୋଚର ହୁଏ । ଏହି ରୀତିଗତ ବୈଶିଷ୍ଟ୍ୟ ଅର୍ଥାତ୍ ଚିରାଚରିତ ଛନ୍ଦ ରୀତିର ଅବ୍ୟବହାର ଅତ୍ୟନ୍ତ ଚମକପ୍ରଦ; କିନ୍ତୁ ଏଥିରେ କବିଙ୍କର ଲାଭର ଅଙ୍କ ବୃଦ୍ଧି ହୁଏ କି ନାହିଁ, ତାହାହିଁ ଚିନ୍ତାର ବିଷୟ ।

କବି ଖମାରୀଙ୍କ କବିତା ଅନିୟମିତ ଅମିତ୍ରାକ୍ଷର ଛନ୍ଦାଶ୍ରୟୀ । ତେଣୁ ନାଟକୀୟ-ଶୈଳୀ ବୋଧଧର୍ମୀ ।

“ମୋ ଆଗରେ-

ବର୍ତ୍ତମାନ ? ଅର୍ଥହୀନ

ଭବିଷ୍ୟତ୍ ? ଅନିଶ୍ଚିତ...

ମନର କାନନେ ମୋର

ଆଶାର କଳିକା ହୁଏ ବୃନ୍ତଚ୍ୟୁତ

ଗୋଟି ଗୋଟି ଖିନ୍ ଭିନ୍

ସବୁ ଶୁନ୍ ଶାନ୍

ତେଣୁ ମୁଁ ଆହତ

ରିକ୍ତ ଆଉ କ୍ଷୁବ୍ଧ ପରାହତ...।”

ଅନେକ କବିତା ତାଙ୍କର ବର୍ଣ୍ଣନାଶ୍ରୟୀ ହୋଇଯାଇଥିବାରୁ ପାଠକଙ୍କର ମନନ-କେନ୍ଦ୍ରୀକରଣ ଉପରେ ଆଘାତ ପଡ଼େ । “ଏକଲବ୍ୟ” ଏବଂ “ଏକ ଉଦାସୀ ମନର କବିତା” ପାଠ ପରେ ଏ ଦିଗରେ ପାଠକ ସଚେତନ ହୁଏ ।

 

କାବ୍ୟର ସାର୍ଥକତା ଉପରେ ଏକ ତାରୁଣ୍ୟ ଚପଳ ଶାର୍ଦ୍ଦୂଳ କ୍ରୀଡ଼ାର ଚିହ୍ନ ସୁସ୍ପଷ୍ଟ । ତଥାପି ଆଗାମୀ ଦିନର ସ୍ୱାକ୍ଷର ନେଇ କବି ଖମାରୀଙ୍କ ଯନ୍ତ୍ରଣାର ପାଦ ପ୍ରଦୀପ “ନୀଳପତ୍ର” ଆଗ୍ନେୟ ଓ ଭାସ୍ୱର ।

 

ବିନୋଦଚନ୍ଦ୍ର ନାୟକ

ସଂପାଦକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ନିଜ ତରଫରୁ ପଦେ

 

ପ୍ରଥମେ ନିଜ ତରଫରୁ କିଛି ନ ଲେଖିବା ପାଇଁ ଏକ ପ୍ରକାର ସ୍ଥିର କରିଥିଲି । ମୋ ନିଜ କଥା ତ ମୋର ପ୍ରତିଟି ଲେଖା, କବିତା ଓ ପଙ୍‍କ୍ତିରେ ମୁଦ୍ରିତ-ଆଶା, ସ୍ଵପ୍ନ, ଅଭିଳାଷ, ଅଭିଯାନ, ଦ୍ଵନ୍ଦ, ବିଦ୍ରୋହ, ବୈରାଗ୍ୟ, ଗ୍ଳାନି, ପରାଜୟ ଇତ୍ୟାଦି.... । ବଗିଚାରୁ ହର୍‍କିସମର ଫୁଲ ଗୋଟାଇ ଆଣି ମାଳା ଗୁନ୍ଥି ଆତ୍ମତୃପ୍ତି ଲାଭ କରୁଥିବା ବିଶ୍ଵସ୍ତ ମାଳୀପରି ଏକତ୍ର ଥୋଇଦେଲି କେଇଟି କବିତା ନୀଳପତ୍ର-ଚାଙ୍ଗୁଡ଼ାରେ । ଏଣିକି ଗ୍ରାହକ ବୁଝିବେ । ଫୁଲର ରଙ୍ଗ ଓ ସୁରଭି ମନକୁ ଛୁଇଁଲେ ଆପଣାର କରି ସଦୁପଯୋଗ କରିବେ, ରସ ଆସ୍ଵାଦନ କରିବେ-ନଚେତ୍ ଦୂରେଇ ଚାଲିଯିବେ ନିଃସଙ୍କୋଚରେ ।

 

‘ନୀଳପତ୍ର’ରେ ସଂଶିତ ଅଧିକାଂଶ କବିତା ସମସାମୟିକ ବିଭିନ୍ନ ସାହିତ୍ୟ ପତ୍ର-ପତ୍ରିକାରେ ଆଗରୁ ପ୍ରକାଶିତ ଓ ନାନା ସାହିତ୍ୟ-ଅନୁଷ୍ଠାନ ପକ୍ଷରୁ ଆୟୋଜିତ କବିତା ପାଠୋତ୍ସବରେ ପଠିତ । ପାଠକ ମହଲରେ ତେଣୁ କବିତାଗୁଡ଼ିକର ପରିଚିତ କରାଇବାର ଆବଶ୍ୟକତା ଉପଲବ୍ଧି କରୁନାହିଁ । ତେବେ ଗୋଟିଏ କଥା-ମୋ ଲେଖା ସମ୍ବନ୍ଧରେ ମୋଟା ମୋଟି କି ଧାରଣା ରହିଛି ପାଠକଙ୍କର, ତା ମୁଁ ଠିକ୍ ଜାଣେନା ଏବଂ ଏଇଥିପାଇଁ ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରତିଷ୍ଠିତ କବି ଶ୍ରୀ ବିନୋଦଚନ୍ଦ୍ର ନାୟକଙ୍କୁ ଅନୁରୋଧ କରିଥିଲି କବିତାଗୁଚ୍ଛର ପାଣ୍ଡୁଲିପି ପାଠ କରି ମତାମତ ପ୍ରକାଶ କରିବା ପାଇଁ । ମୋର ସୌଭାଗ୍ୟ, ପୂଜ୍ୟ ଶ୍ରୀ ନାୟକ ନାନା କାର୍ଯ୍ୟବ୍ୟସ୍ତତା ଭିତରେ ପାଣ୍ଡୁଲିପିଟି ଆମୂଳଚୂଳ ପାଠକରି ‘ନୀଳପତ୍ର’ର ‘ସୂଚନା’ ଦେଇଛନ୍ତି । ସେଥିପାଇଁ ତାଙ୍କ ନିକଟରେ ବିନମ୍ର କୃତଜ୍ଞତା ଜଣାଉଛି । ଏହି ‘ସୂଚନା’ ଭିତରେ ଆଧୁନିକ କବିତା ସମ୍ବନ୍ଧରେ ସେ ଯେଉଁ ପାଣ୍ଡିତ୍ୟପୂର୍ଣ୍ଣ ଇଙ୍ଗିତ ଦେଇଛନ୍ତି, ପାଠକେ ତାହା ଲକ୍ଷ୍ୟ କରିବେ ବୋଲି ଆଶା ।

 

ଆଉ ପଦେ, ‘ନୀଳପତ୍ର’ ଅପେକ୍ଷାକୃତ ବହୁଦିନ ଧରି ଯନ୍ତ୍ରସ୍ଥ ଥିଲା । କେତେକ ଅପରିହାର୍ଯ୍ୟ କାରଣ ଯୋଗୁଁ ମୁଦ୍ରଣ-ପ୍ରକ୍ରିୟାରେ ଓ ପ୍ରକାଶନରେ ବିଳମ୍ବ ଘଟିଥିଲା । ଯାହାହେଉ ଅବଶେଷରେ ସନ୍ତୋଷ ପବ୍ଲିକେଶନ୍‍ସ୍‍ ପକ୍ଷରୁ ଏହା ପ୍ରକାଶଲାଭ କରିପାରିଛି, ସେଇ ମୋର ଆନନ୍ଦ ।

 

ସାହିତ୍ୟକ ବନ୍ଧୁ ଶ୍ରୀ ବୀରକିଶୋର ଦାସ ଓ ଶ୍ରୀ ରମେଶ ଧଳଙ୍କ ପ୍ରୋତ୍ସାହ ଓ ପ୍ରରୋଚନା ମଧ୍ୟ ଏଥିରେ ସମ୍ୟକ ଭାବରେ ନିହିତ ରହିଛି ।

 

ପୁସ୍ତକର ପଚ୍ଛଦପଟ ଚିତ୍ରଟି ଆଙ୍କି ଦେଇଛନ୍ତି ଶିଳ୍ପୀ ଶ୍ରୀ ଶ୍ୟାମସୁନ୍ଦର ପଟ୍ଟନାୟକ ଅତି ଅକୁଣ୍ଠିତ ଭାବରେ । ତା’ ଛଡ଼ା ପୁସ୍ତକଟିର ଆଙ୍ଗିକସଜ୍ଜା ଓ ମୁଦ୍ରଣ ଯେତେଦୂର ସମ୍ଭବ ସୁନ୍ଦର ଓ ସୁଯୋପଯୋଗୀ କରିବାପାଇଁ ସବୁମତେ ଉଦ୍ୟମ କରିଛନ୍ତି ବିଜୟା ପ୍ରିଣ୍ଟର୍ସର ପରିଚାଳକ ଓ ମୁଦ୍ରାକର ଏବଂ ‘ସନ୍ତୋଷ ପବ୍ଲିକେଶନ୍‍ସ୍‍’ର କର୍ମକର୍ତ୍ତାଗଣ । ସଭିଙ୍କୁ ମୋର ଆନ୍ତରିକ କୃତଜ୍ଞତା । ଇତି ।

 

କଟକ,

ବିପିନ ବିହାରୀ ଖମାରୀ

ରାସପୂର୍ଣ୍ଣମା, ୧୯୭୦

 

Image

 

Image

 

ଶ୍ରୀ ବିପିନବିହାରୀ ଖମାରୀ କବି ଓ ଲେଖକରୂପେ ଓଡ଼ିଆ ସାହିତ୍ୟ-ଜଗତରେ ସୁପରିଚିତ । ଛାତ୍ରଜୀବନରୁ ବିଭିନ୍ନ ସାହିତ୍ୟ ସମାରୋହ, ଅନୁଷ୍ଠାନ ଓ ପତ୍ରପତ୍ରିକା ସହିତ ଘନିଷ୍ଠ ଭାବରେ ସଂପୃକ୍ତ । ବହୁ ସାମୟିକ ପତ୍ରପତ୍ରିକା ତାଙ୍କର ସଂପାଦନାରେ ପ୍ରକାଶିତ ଓ ଉଚ୍ଚ ପ୍ରଶଂସିତ-। ସାଂସ୍କୃତିକ କାର୍ଯ୍ୟକ୍ରମରେ ନେତୃତ୍ଵ ନେବାରେ ବିଶେଷ ଆଗ୍ରହୀ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ସମବାୟ ବିଭାଗରେ ସହକାରୀ ନିବନ୍ଧକରୂପେ ଅଧିଷ୍ଠିତ ।

 

ରଚନା–ମାନସୀ (କବିତା, ସହଯୋଗୀର ଚିଠି (କବିତା), ସମବାୟ ଶିକ୍ଷା (ପ୍ରବନ୍ଧ), ନୀଳପତ୍ର (କବିତା), ଭିକାରୀ ଓ ରଜାପୁଅ (ଅନୁବାଦ), ଆଲବମ୍ (କବିତା), ଅଷ୍ଟ୍ରେଲିଆ ଅନୁଭୂତି (ଭ୍ରମଣ କାହାଣୀ) ଓ ଅନ୍ୟାନ୍ୟ

 

୧୯୩୩ ମସିହାରେ ଜନ୍ମ କଳାହାଣ୍ଡି ଜିଲ୍ଲାରେ ।

Image

 

ସୂଚୀପତ୍ର

 

୧.

ମୋ ଗୀତର ସ୍ଵର

୨.

ମନର ବୋଇତ

୩.

ମୁଁ ସମ୍ରାଟ୍ ଇଲାକାର ମୋ’ର

୪.

ପ୍ରଜାପତିର ଅପମୃତ୍ୟୁ

୫.

୧୯୭୧

୬.

ମନର କଟକ

୭.

ଆମେ ଯେଉଁମାନେ

୮.

କୀଟଦ୍ରଂଷ୍ଟ

୯.

ମନର ଚନ୍ଦ୍ରିକା ମୋର

୧୦.

ମୁଁ ଉଠିଛି

୧୧.

ସ୍ମୃତିର କବରତଳୁ

୧୨.

ବିଶ୍ଳେଷଣ ଗୋଟିଏ ମନର

୧୩.

ସମୁଦ୍ର ବେଳାରେ ବସି

୧୪.

ଏକଦା ଅନ୍ଧକାର ସାନ୍ନିଧ୍ୟେ

୧୫.

ବୃନ୍ତଚ୍ୟୁତ

୧୬.

ମୋତେ ଆଜି ହସିବାକୁ ଦିଅ

୧୭.

ପରିଚୟ

୧୮.

ମାଇଲ ଖୁଣ୍ଟ

୧୯.

ଚାରି ଋତୁ

୨୦.

ଏକଲବ୍ୟ

୨୧.

ପତ୍ର, ଫୁଲ ଓ ଫଳଙ୍କପାଇଁ

୨୨.

ଏକ ଉଦାସୀ ମନର କବିତା

୨୩.

ନୂତନ ରାଜଧାନୀରେ ବନ୍ଧୁ ମିଳନ

୨୪.

ସ୍ଵାଧୀନତା ଗୋଟିଏ ମନର

Image

 

ମୋ ଗୀତର ସ୍ୱର

 

ମୁଁ ଆଜି ଗାଇବି ଗୀତ...

ଅତି ସାଦା ଶୁଷ୍କକଣ୍ଠେ ମୋର

ତାନ୍‍ପୁରା, ହାରମନି, ବୀଣା ଅବା

ତବଲା, ବେହେଲା………

ସଂଗୀତର ବାଦ୍ୟଯନ୍ତ୍ର ଯାହା

 

ମୋ ଗୀତର ତାଳ ଲାଗି

ଲୋଡ଼ା ନାହିଁ କିଛି ।

ତଥାପି ବି ମୋ ଗୀତଟି

ହୋଇବନି ନିହାତି ବେସୁରା,

ତମ ଆଗେ ଏହା ମୋର ପ୍ରଥମ ଇସାରା ।

ମୋ ଗୀତର ମୁହିଁ ନିଜେ ଗାୟକ ରଚକ ।

ଏ ରଚନା ମୋର–

ସ୍ମୃତିରୁ ସାଉଁଟା କିଛି

ହସ ଆଉ କାନ୍ଦର ମିଶ୍ରଣ,

ଜୀବନ-ବେଳାର ତଟେ

ପିଟିହୋଇ ଲୀନ ହୋଇଥିବା–

ଯଉବନ-ତରଙ୍ଗର ଗୋଟା କିଛି ଫେଣ,

ସାର୍ଥକ-ଲେଖନୀମୁନେ ଝରିଥିବା–

ବେଦନାର କବିତାନିକ୍ୱଣ !

ଏ ଜାଡ଼ିମା-ଜଞ୍ଜାଳ ଓ ଜରାକ୍ଲିଷ୍ଟ

ଦାରୁଣ ଜୀବନ-

ଅଳ୍ପ-ବେଶୀ ରୂପାୟିତ ରଚନାରେ ମୋର,

ଏ ରଚନା ବାସ୍ତବରେ

ଅଶ୍ରୁଭିଜା ଦୁଃଖରେ ଜର୍ଜର !

ମୁଁ ଆଜି ଗାଇବି ଗୀତ,

ସାଥୀହୀନ ବ୍ୟଥିତ ଏକାକୀ

ଅତି ସାଦା ଶୁଷ୍କକଣ୍ଠେ ମୋର ।

ବୁକୁର ମୋ ପ୍ରତି ତନ୍ତ୍ରୀ ବାଜିଉଠେ

ମନ୍ଦ୍ରଧ୍ଵନି ତୋଳି,

ହୃଦୟର କେଉଁ କୋଣେ ଶୁଭେ ପୁଣି

ଅସ୍ପଷ୍ଟ କାକଳି ।

ନିର୍ଜନ ପ୍ରକୋଷ୍ଠେ ମୋର ଶୁଭେ ଏଣେ–

ଅତି କମ୍ର ତାଳ

ମନର ପରଦା ଖୋଲି ଦେଖାଦିଏ

ଛବି ସମୁଜ୍ଜ୍ଵଳ....

ଅନ୍ଧକାର-ବକ୍ଷ ଚିରି

ଅକସ୍ମାତ୍ ଉଭାହୁଏ

ସମ୍ମୁଖରେ ମାନସୀ ମୋହର,

ଭରା ଯଉବନ ତାର

ଛଳଛଳ ଢଳଢଳ ତରଳ ରସାଳ !

 

(ଏ କି ହେଲା ?)

 

ହାୟ ! ହାୟ ! କେ କରିଛି ଜୁର ?

ରୂପ-ରାଇଜରେ ପୁଣି ଏ କି ଅବିଚାର.....? ?

କନକ ଅଙ୍ଗରେ ତା’ର ଧୂଳିର ପଟଳ,

ଶରୀରେ ଯାଇଛି ମାଡ଼ି ଶିଉଳି ବହଳ,

ଚକ୍ଷୁକୋଣେ ବ୍ୟଥାସିକ୍ତ

ଅଶ୍ରୁର ଜୁଆର

ବେଦନା-ବିହ୍ୱଳ..... !

ତଥାପି ତ ମୋ ଆଗରେ ଉଗ୍ରହୋଇ

ଶୁଷ୍କକଣ୍ଠେ ଉକୁଟାଏ ହସ !

କରେ ପୁଣି ଅଦମ୍ୟ ପ୍ରୟାସ

ଏ ସଙ୍ଗୀତ ଆସରଟି

କରିବାକୁ ଅତୀବ ସରସ-

ଅଭିନେତ୍ରୀରୂପେ ଆଜି

ନିଜକୁ ସଜାଇ

ଛନ୍ଦ ରଚେ-ତୋଳେ ମନ୍ଦ୍ରତାଳ

ଝନକ୍ ଝନକ୍ ଝନ୍...ବାଜଇ ପାୟଲ....

ଏଇ ମାତ୍ର କରେ ମୁହିଁ ସଂଯୋଜନା,

ଏଇ ମୋର,

ଗୀତଟିର ସ୍ଵର ।

Image

 

ମନର ବୋଇତ

 

ସ୍ମୃତିର ସାଗରତୀରେ

ଅକସ୍ମାତ୍‍ ଥରେ

ମୋ’ ମନର ବୋଇତ ଯେବେ ନଙ୍ଗର ଦିଏ,

ଅତୀତର ହସ-ଖୁସି ସୁଖ-ଦୁଃଖ ପ୍ରଣୟର ଢେଉ–

ପିଟିହୋଇ ବୋଇତରେ ମୋର

ସବୁ କିଛି ଚହଲାଇଦିଏ ।

 

(ଆଶ୍ଚର୍ଯ୍ୟ ଲାଗୁଛି ବୋଧେ !) ମୁହିଁ ଆଜି–

ଯାତ୍ରୀ ସାଜି ଘୂରିବୁଲେ

ମନର ମୋ’ ଏ ବୋଇତ ଚଢ଼ି ।

 

ସଙ୍ଗହୀନ, ସାଥୀହୀନ, ବନ୍ଧୁ ପ୍ରିୟ ଆପଣାର

କେହି ନାହିଁ ମୋର,

ଏକାକୀ ମୁଁ ଏ ଦୁନିଆ ଚଲାପଥୁ

ମୁକୁଳାଇ ଆପଣାକୁ ଆପେ

ଏ ନୂତନ ଅଭିଯାନ ରଚେ,

ଖୋଜିବାକୁ ଆପାତତଃ

ହଜିଥିବା ଦାମିକା ଓ ମୂଲ୍ୟବାନ୍ ପଦାର୍ଥରୁ–

ମାତର କେତୋଟି

ଯାହା ଦିନେ ଥିଲା ମୋର

ଅତି ପ୍ରିୟ, ଅତି ଆପଣାର

କବିର କବିତାଠାରୁ

ପ୍ରିୟର ପ୍ରେୟସୀଠାରୁ

ଅତି ଆଦରର ।

କାଳର କବଳେ କିନ୍ତୁ ସେ ଲଭିଛି ସଲିଳ-ସମାଧି ।

ସେଥିପାଇଁ ଆଜିର ଏ ସ୍ପୁଟ୍‍ନିକ୍‍-ଯୁଗରେ

ରକେଟ୍ ଅବା ବ୍ୟୋମଯାନ, ରେଳ, ମଟର

ସବୁ ଯାନ ଛାଡ଼ି

ମୁଁ ଏବେ ବୁଲୁଛି ଘୂରି

ମନର ମୋ’ ଏ ବୋଇତ ଚଢ଼ି ।

ଆଜି ଅକସ୍ମାତ୍‍–

ନିରାଶାର କୁହୁଡ଼ି ଓ ହତାଶାର କିଟିକିଟି କଳା ମେଘ ସାଥେ

ଏଇ ଚାହେଁ, ଘୋଟିଆସେ ଅଶାନ୍ତିର ଝଡ଼...

ବିଷାଦର ବାତ୍ୟା...

ଅତୃପ୍ତିର ତୋଫାନ...

ପଥ କାହିଁ...? କାହିଁ ଲକ୍ଷ୍ୟସ୍ଥଳ...?

କେତେ ଦୂର ଆଉ ସେହି “ତୃପ୍ତିର ବନ୍ଦର”…? ?

ପଥଶ୍ରାନ୍ତ ଲୋଡ଼ା ଆଜି ବିଶ୍ରାମ ମୋହର

ଯାତ୍ରା ମୋର ବିପଦସଂକୁଳ ।

 

ଆଜି ତେଣୁ ସ୍ମୃତିର ଏ ମହୋଦଧିତୀରେ

ମନର ବୋଇତ ମୋର ଦେଇଛି ନଙ୍ଗର ।

Image

 

ମୁଁ ସମ୍ରାଟ୍ ଇଲାକାର ମୋ’ର

 

ଭଲ ଲାଗେ ଯିବାପାଇଁ ଏକା ଏକା

ଏଇ ବିଲ ବଣବାଟ ଦେଇ ।

ଭାରି ଭଲ ନିଛାଟିଆ ରାସ୍ତା ।

ସିଜୁବଣ ନଈନାଳ ପାରିହୋଇ ଚାଲିଛି ମୁଁ...

ମୋ ପଛରେ ରହିଯାଏ ବହୁ ଜନସମାଗନ–

କୋଳାହଳ ଆଧୁନିକ ଯାନ୍ତ୍ରିକ ସଭ୍ୟତା ।

ମୁଁ ଚାଲିଛି ଏକା ଏକା । ମୋ ପାଦର ଗତି-

ଅତି ଧୀର, ଅଥଚ ଚଞ୍ଚଳ ମୋର

ବେଗମାନ ମନ ।

ମୁଁ ହୁଏତ ଆଜିଯାଏ ପାଇ ନାହିଁ

ଖଣ୍ଡେ ଅବା ଯାନ !

ସେଥିପାଇଁ ତିଳେ ହେଲେ ନାହିଁ ଅବଶୋଷ;

ଯେହେତୁ ମୁଁ ଘୂରିପାରେ ଚତୁର୍ଦ୍ଦିଗ

ବିଲ-ବଣ ନଈ-ନାଳ ପାରିହୋଇ

ମୋ ସାମ୍ରାଜ୍ୟ-ଇଲାକମଧ୍ୟରେ ।

ମୁଁ ସମ୍ରାଟ୍ ଇଲାକାର ମୋ’ର ।

ମୋ ସାମ୍ରାଜ୍ୟ ବ୍ୟାପକ ବିସ୍ତର ।

ସୀମା ନାହିଁ, ଅନ୍ତ ନାହିଁ, ନାହିଁ ୟାର ଶେଷ ।

ତଥାପି ଏକାନ୍ତ ମୋର ଅତିପ୍ରିୟ-ଇଲାକା ଏ ଦେଶ ।

ଏ ରାଇଜେ ଘୁରିବାକୁ ଭଲ ଲାଗେ,

ମୋତେ ଭଲ ଲାଗେ ।

ସମୟ-ସୁଅରେ ଭାସି,

ଜୀବନର ଗୀତ ଗାଇ ଗାଇ,

ଯୌବନର ଢେଉସାଥେ ନାଚିବାକୁ

ମୋତେ ଭଲ ଲାଗେ ।

ଭଲ ଲାଗେ ମୋତେ ପୁଣି

ଶୋଇବାକୁ ବାଲିର ଶେଯରେ–

ଜୋଛନା-ପଣତତଳେ । ଥରେ ଥରେ

ହସିବାକୁ, ଖେଳିବାକୁ, କହିବାକୁ କଥା

ଏକା ଏକା ଭାରି ଭଲ ଲାଗେ ।

ପାସ୍‍ପୋଟ୍ ଲୋଡ଼ା ନାହିଁ ଏ ଇଲାକା ଆସିବାକୁ ଘୂରି ।

ଆଜ୍ଞା-ପତ୍ର ନାହିଁ ଆବଶ୍ୟକ । ଅଥବା ପାଥେୟ

ଆଉ ଭ୍ରମଣର ବରାଦୀ ପୋଷାକ ।

ବିଦେଶଯାତ୍ରାର ଲାଗି ବ୍ୟୋମଯାନ-ଟିକେଟ୍-ବ୍ୟବସ୍ଥା

ହୋଟେଲ୍, ବାର୍, ରିଜର୍‍ ଭେସନ୍....

ଯାହାସବୁ ଚଳନ୍ତି କାଏଦା

କିଛି ଲୋଡ଼ା ନାହିଁ ।

 

କେବଳ ଗୋଟିଏ କଥା–

ମନର ଦର୍ପଣ ଦେଇ ଭଲରୂପେ ମାଜିନିଅ

ତୁମ ନିଜ ଅଭିଳାଷ ରୁଚି ଅଭିରୁଚି–

ତୁମେ ଯଦି ଚାହଁ କେବେ ଆସିବାକୁ

ଘୂରି ଥରେ ଏ ଇଲାକା ମୋର,

ଯେହେତୁ ମୋ’ ଇଲାକାରେ

ମନର ଶାସନ ଚାଲେ

ବିବେକର ଅତି ତୀକ୍ଷ୍ଣ ଶୃଙ୍ଖଳାମଧ୍ୟରେ ।

Image

 

ପ୍ରଜାପତି ଅପମୃତ୍ୟୁ

 

(୧)

 

ଆଜିଠାରୁ କେତେ ବର୍ଷ, ମାସ ଅବା ଦିନର ଆଗରୁ

ଯେଉଁମାନେ ଦେଖିଥିଲେ

ଏ ସହର ରାଜଧାନୀକୋଳେ,

ମୋତେ ଆଉ ମୋ’ ମନର ପ୍ରଜାପତି–

ଡେଇଁ ଡେଇଁ ବୁଲିବାର ଛବି

ଏବଂ ମୋର ଜୀବନର ଟିକିଟିକି ପାଖୁଡ଼ା ଓ କୋମଳ ପତର–

ରଙ୍ଗୀନ ସବୁଜ ଘାସ-ଏ ମାଟିର ଚାନ୍ଦୁଆର ତଳେ

ଶିଶୁ, ଯୁବା, ତରୁଣ ଓ କୁମାରୀଙ୍କ ମେଳେ

ଦେଖିଥିଲେ, ଆସିଥିଲେ, କହିଥିଲେ କଥା–

ଯେଉଁମାନେ ମୋ’ ସହିତ

ଖେଳାବୁଲା କରି ଅବିରତ

ହସ ଓ ଖୁସିର ଧାରା ଛୁଟାଇ କେବଳ,

ଏ ଜୀବନ-ରଙ୍ଗଭୂମି ଚଟାଣଉପରେ

ମୋତେ ଦେଖିଥିଲେ..., ଏକଦା ସେମାନେ ମୋର

ସାଙ୍ଗ, ସଖା, ବନ୍ଧୁ ସହୋଦର–

ଥିଲେ ମୋର ଅତି ଆପଣାର ।

 

(୨)

 

ମୁଁ ଦେଖୁଛି ଆଜି ଏଠି ଅତୀତର ସ୍ମୃତିର କବରୁ...

ମୋ’ ମନର ପ୍ରଜାପତି ରଙ୍ଗହୀନ-ନିତାନ୍ତ ମଳିନ !

ଭରା ବାଦଳର ଛବି । ଆକାଶରେ ତାରାଙ୍କର ଲୁଚକାଳି ଖେଳ !

 

ସନ୍ଧ୍ୟାର ଆସର ମେଳେ

ଚନ୍ଦ୍ର ଲୁଚେ ବଉଦର କୋଳେ ।

ଆସ୍ତେ ଆସ୍ତେ ରାତ୍ରିର ଜମାଟ ବାନ୍ଧେ । ଅନ୍ଧକାର...

ଚାରିଆଡ଼େ ସବୁ ଶୂନ୍‍ଶାନ୍ ।

ବର୍ଷାର ବି କିଛିଟା ସୂଚନା । ତାରାମାନେ କେତେବେଳୁ

ମିଟିମିଟି ଥଙ୍ଗଥଙ୍ଗ ହୋଇ

ପଳାଇଲେ । ଏହି ଅବସରରେ-

ମୋ’ ମନର ପ୍ରଜାପତି ଡେଣା ଝାଡ଼ି ଉଡ଼ିବାର

ପ୍ରୟାସ କରିବା ଆଗୁ–

ହଠାତ୍ କେଉଁ ସଇତାନ ଲୁଚିଲୁଚି ଛପିଛପି ଆସି–

ଦୁଇ ଗୋଟି ଡେଣା କାଟି ନେଇଗଲା ଖସି ।

ରକ୍ତାକ୍ତ ସେ ପ୍ରଜାପତି । ଲୋଟିପଡ଼େ ଚଟାଣଉପରେ

ନୂଆ ଏହି ରାଜଧାନୀକୋଳେ ।

ମୁଁ ବିମର୍ଷ, ଭୀତତ୍ରସ୍ତ, ଏକାନ୍ତ ବିହ୍ୱଳ ।

ଆହା ! ଏଇ ପ୍ରଜାପତି ମୋର

କି କାରଣେ ଭୋଗିଲା ଏ ଦଶା ?

କିଏ ସେହି ଆତତାୟୀ ନେଇଗଲା

ଡେଣା ଦୁ’ଟି ତା’ର ?

କି କାରଣେ ?

କିବା ଅଭିପ୍ରାୟ ?

ମନରେ ମୋ ପ୍ରଶ୍ନଜାଗେ ଆଜି ବହୁବାର ।

 

(୩)

 

ନିଝୁମ ବରଷା ରାତି ।

ମୁଁ ଚାଲିଛି ଏକାକୀ ଏ ଜନପଥଧାରେ

ନୂଆ ଏହି ରାଜଧାନୀ–

ପିଚୁଦିଆ ସୁବିସ୍ତୃତ ରାସ୍ତାର ଉପରେ ।

କନ୍ଧେ ମୋର ଅତି ପ୍ରିୟ ଆପଣାର ପ୍ରଜାପତି-ଶବ !

ନିଃସଙ୍ଗତା, ମ୍ରିୟମାଣ–

ମର୍ମେ-ମର୍ମେ କରେ ଅନୁଭବ ।

 

ଆଜିଠାରୁ କେତେ ବର୍ଷ, ମାସ ଅବା ଦିନର ଆଗରୁ

ଯେଉଁମାନେ ଦେଖିଥିଲେ ମୋତେ

ଏବଂ ମୋର ଏହି ପ୍ରଜାପ୍ରତିଟିରେ,

ସେ ସମସ୍ତେ ରହିଗଲେ ଦୂରେ ।

ମୁଁ ଏକାକୀ ଡାକେ ଆଜି ଶରୀରର ଶକ୍ତି ଠୁଳ କରି

ଡାକେ ମୁହିଁ ଅତି ଉଚ୍ଚସ୍ୱରେ-

“ଉଠ, ଉଠ ପ୍ରଜାପତି ! ଉଠ ବାରେ

ଶ୍ମଶାନର କବରଭିତରୁ

ମୁଁ ଆଣିଛି ନୂଆ ଦୁ’ଟି ଡେଣା ତମପାଇଁ

ଉଠ, ଉଠ ଆଉ ଡର ନାଇଁ...।”

 

ପ୍ରଜାପତି ନିରୁତ୍ତର !

ପ୍ରତିଧ୍ୱନି ଶୁଭେ ଖାଲି ମୋ’ ଡାକର-

ଅନ୍ଧକାର ନିବିଡ଼ ଏ ରାତ୍ରିର ଗହ୍ୱରୁ ।

Image

 

୧୯୭୧

 

ପୁରାତନ ଲୁଚିଯାଏ ଅତୀତ-ଗରଭେ ।

କେତେ ହସ, କାନ୍ଦ ଆଉ ରାଗ, ଦ୍ୱେଷ–

ଈର୍ଷା, ଗର୍ବ, ଅହଙ୍କାର,

ବଡ଼ିମା ସକଳ

ବର୍ଷକର ହୋଇଅଛି ଶେଷ ।

ସେସବୁର କେତେ କାହିଁ ଆଜି ପୁଣି

ହେଉଅଛି ହିସାବ-ନିକାଶ ।

 

୭୦ ଯାଇଛି ଚାଲି ।

କାନ୍ଥ ଘରେ ଝୁଲୁଥିବା କ୍ୟାଲେଣ୍ଡର୍ ଦେହୁ

ତରତରେ ପୃଷ୍ଠା ଦେଉ ଚିରି ।

 

ଆହା ! କେତେ ଝଲମଲ ଚିତ୍ର ଯିବ ଲୁଚି !

ନୂତନର ସନ୍ଧାନରେ ଆମେ ପୁଣି ବ୍ୟସ୍ତ ରହୁ

ସଜାଇବୁ ଆମ ଘର

ନୂଆ ରଙ୍ଗ ନୂତନ ରୂପରେ

କେତେ ପରକାରେ ।

 

ଦୁଃଖ ଲାଗେ ବେଳେବେଳେ

ସମୟ-ସୁଅରେ ଆମେ ଭାସି-ଭାସି

ଯାଉଁ ଚାଲି

କାହିଁ କେତେ ଦୂରେ... ।

ପୁରାତନ ରହିଯାଏ ପଛେ–

ବହୁ ପଛେ ।

 

ଅତୀତର ସୁଖ, ଦୁଃଖ,

ଲାଭ, କ୍ଷତି, ଭଲ, ମନ୍ଦ,

ଶୋକ, ଅବସାଦ

ପ୍ରଣୟ, ବିରାଗ ଆଉ ରାଗ, ଅନୁରାଗ…

ଯେତେ ଯାହା ବାଦ-ବିସଂବାଦ

ବିସ୍ମୃତି-ଗରଭେ ସବୁ ଲୁଚିଯାଏ,

ଲୁଚିଯାଏ କାହିଁ ।

 

ନିମିଷକେ ସବୁ ଶୂନଶାନ୍ ।

ବୟସର ମାପକାଠି ସ୍ପର୍ଶ କରିଯାଏ

ପ୍ରତିପ୍ରାଣ ପ୍ରତିଟି ହୃଦୟ !

ଜୀବନର ସୁଅ ଗଡ଼ିଚାଲେ ।

ଏଇମିତି–

ପୁରାତନ ପଛେ ପଛେ

ନୂତନର ହେଉ ଆଗମନ,

ପ୍ରତିପ୍ରାଣେ ବାଜିଉଠୁ

ସୃଜନର ମଧୁ ବଂଶୀସ୍ଵନ !

Image

 

ମନର କଟକ

 

ମୋ ଆଖିର ମହାନଦୀରେ ଆଜି ଲୁହର ବନ୍ୟା ।

ମନର କଟକ ମୋର ଟଳମଳ

ଭାସିଯିବ, ଭାସିଯିବ ହାୟ !

ଜୀବନର ସ୍ଥିତି-ଅବସ୍ଥିତି

ହସ-ଖୁସି, ଆଶା-ସ୍ଵପ୍ନ

ପରାଜୟ ଗ୍ଲାନି ଯେତେ ଯାହା

ଉବୁଟୁବୁ ହୋଇ କାହିଁ ଭାସିଯାଏ... ।

ସହଯୋଗୀ କିଏ ଅଛି ? କିଏ ମୋର ସାହା ?

 

ଧୈର୍ଯ୍ୟର ହୀରାକୁଦ ମୋର ଭାଙ୍ଗିଗଲା,

ଭାଙ୍ଗିଯାଏ ଆହା !

କି କରିବି ? ନିଃସହାୟ !

ମୋ ହୃଦ-କେଦାର ଆଜି ଶୁଷ୍କ ଜଳହୀନ ।

 

ମୁହିଁ ଅକିଞ୍ଚନ

ନିରୂପାୟ, ଅସମର୍ଥ ।

ସତେ ମୁହିଁ କେଡ଼େ ଅପଦାର୍ଥ !

 

ପ୍ରଣୟ-ଲତାଟି ମୋର–

ନିମ୍ନଗାମୀ,

ଲୋଟିପଡ଼େ ଧରଣୀର ଧୂସର ବୁକୁରେ ।

ଆଶାର କଳିକା କାହିଁ ବୃନ୍ତଚ୍ୟୁତ ହୁଏ ।

ହସର କୁସୁମସବୁ ଝରିପଡ଼େ...

ଗୋଟି-ଗୋଟି ପାଖୁଡ଼ାସକଳ–

ଖିନ୍‍ଭିନ୍‍ ଉଡ଼ିଯାଏ

କାହିଁ କେତେ ଦୂରେ

ଅଶାନ୍ତି ଓ ହତାଶାର ନିର୍ମମ ବାତ୍ୟାରେ ।

 

ଆଜି ଏ ସକାଳେ–

ମୋ ଆଖିର ମହାନଦୀରେ

ଲୋତକର ବନ୍ୟା ।

ତେଣୁ ମୁହିଁ ବିବ୍ରତ, ଅସ୍ଥିର

ଆଉ ବ୍ୟଥିତ ଚଞ୍ଚଳ,

ମନର କଟକ ମୋର ହୁଏ ଟଳମଳ ।

Image

 

ଆମେ ଯେଉଁମାନେ

 

ଆମେ ଯେଉଁମାନେ......

ନିତି ନିତି-ବର୍ଷ, ମାସ,

ଦିନ, ଘଣ୍ଟା, ମିନିଟ୍, ସେକେଣ୍ଡ୍ ଧରି

ଦିନରାତି ପରିଶ୍ରମ କରି

ଶରୀରୁ ରକତ ଦେଇ

ବିନ୍ଦୁ-ବିନ୍ଦୁ ଲୋତକ ଝରାଇ

ବର୍ଷା, ଶୀତ, ଝଡ଼ ଓ ବତାସେ

ଆପଣାର ଯେତେ ସୁଖ...ଭୋଗ-ରାଗ ଭୁଲି

କର୍ମ କରିଯାଉଁ ଖାଲି

ଫଳଲାଗି ଅପେକ୍ଷା ନ କରି;

 

ଆମେ ଯେଉଁମାନେ...

ଏ ଜୀବନେ

କିଛି ଜମା ହୋଇ ନାହୁଁ ଆଜି ! !

(ଅବା କେବେ ଏଥିପାଇଁ

ଆମ ମନେ ନାହିଁ ଆଦୌ ଆଶା ?)

ଏଇ ଧୂଳି, କାଦୁଅ ଓ ପଙ୍କ ଯା’ର

ସୁବାସ ଚନ୍ଦନ,

 

ନିଝୁମ ବରଷା ରାତି

ହାଡ଼ଭଙ୍ଗା ଶୀତ ଆଉ

ଗ୍ରୀଷମର ଖଇଫୁଟା ତାତି,

ଭୟଙ୍କର ଝଟିକା ତୋଫାନ

ଏ ଜୀବନ ସହଚର ଯା’ର

 

ହେ ସଖା, ହେ ବନ୍ଧୁ, ସାଥୀ କୁଲି ମଜ୍‍ଦୁର

ମୋ ଦେଶର କୃଷକ ସକଳ !

ଆମ କଥା ଭାବିବାର

ବେଳ କାହିଁ କା’ର ?

 

ଆମେ ଆଜି ଏକାକାର

ଭୁଲି ଭେଦଭାବ

ଆମ ମଧ୍ୟେ ଯେତେସବୁ ବାଦ-ବିସଂବାଦ,

ଜାତି, ଧର୍ମ, କୁଳ, ଗୋତ୍ର, ଉଚ୍ଚ-ନୀଚ ଭେଦ

ଆଭିଜାତ୍ୟ, ପରମ୍ପରା, ବଂଶର ଗୌରବ

ସାଂସାରିକ ସକଳ ବିଭବ

ସବୁ ତୁଚ୍ଛ-ପୂର୍ଣ୍ଣ ନିରର୍ଥକ !

ଆମ ମନେ ନାହିଁ ତିଳେ ଶଙ୍କା !

ଆଖିରୁ ନିଗାଡ଼ି ଲୁହ

କରି ଆମ ମେରୁହାଡ଼ ବଙ୍କ ।

ଆମେ ପରା ଆଜିର ଏ ଜାତୀୟ ସଂକଟେ

ଏକ ମନେ ଏକ ପ୍ରାଣେ

ଏ ଜାତିର ମୁକ୍ତିଲାଗି ନେଉଛୁ ଶପଥ-

‘ସ୍ଵାଧୀନତା ରକ୍ଷାଲାଗି

ବିନ୍ଦୁ-ବିନ୍ଦୁ ରକ୍ତ ଦେବୁ ଆମେ

ଗଢ଼ିବୁ‘ଯବାନ’ ପୁଣି-ସଂଖ୍ୟାହୀନ

ଅୟୁତ ଅୟୁତ...

ରଖିବାକୁ ଟେକ ଆମ ଜନ୍ମଭୂମି, ଏ ପୁଣ୍ୟ ଭାରତ ।

ତଥାପି ରହୁଛି ମନେ ଅବଶୋଷ ଖାଲି ଦୀର୍ଘଶ୍ୱାସ ! !

ଆମ କଥା ଭାବୁଛି ବା କିଏ ?

ଇତିହାସ-ତାଲିକାରୁ ବାଦ୍ ଥାଇ ରହିଗଲୁ

ଆମେ ଯେଉଁମାନେ...... ।

Image

 

କୀଟଦଂଷ୍ଟ୍ର

 

ଆଜିର ବହଳ ରାତି କଳାକଳା ମେଘର ଛିଟିକା

ଏ ମାଟିର ବୁକୁପରେ ବିଚ୍ଛୁରିତ ମଳିନ ଚନ୍ଦ୍ରିକା,

ଆକାଶର ଖୋଲା ଖୋଲା ପବନରେ ବିଷର ବୀଜାଣୁ

ଉଡ଼ି-ଉଡ଼ି ବୁଲେ ଦେଖ, ଝରିଯାଏ ଲୋତକ ନୟନୁ ।

ଏ ଲୋତକ ଝରି ପୁଣି ମିଶିଯିବ ଜୀବନ ସଲିଳେ

କୋଟିଏ ନୟନ-ବାରି ବାଷ୍ପାକାରେ ବଉଦର କୋଳେ

ଲୁଚିଯିବ ଆକାଶର ଖୋଲା ଖୋଲା ପବନର ସାଥେ

ଶେଷରେ କରିବ ପୁଷ୍ଟ ଧରଣୀର ଦୁଷ୍ଟକୀଟ ଯେତେ

ଯେଉଁମାନେ ଅବିରତ କପାଳରୁ ଘର୍ମବାରି ପୋଛି

ବଙ୍କା କଲେ ମେରୁହାଡ଼ ଜୀବନର ମମତା ମୁରୁଛି

ପରପାଇଁ ପରହିତେ ବିଳାସର ଖୋରାକ ଯୋଗାଇ

ସେମାନଙ୍କ ତପ୍ତଲୁହେ ଦୁଷ୍ଟକୀଟେ ମାରନ୍ତି କି ହାଇ !

କେତେ ଯୁଗ କେତେ ବର୍ଷ ଆଉ କେତେ ଶତାବ୍ଦୀର ପରେ

ମଣିଷର ଇତିବୃତ୍ତ ଲେଖା ଯେବେ ହେବ ଏ ଦେଶରେ

ହୁଏ ତ ସେତିକିବେଳେ ସତ୍ୟ ଆଉ ନ୍ୟାୟର ଜୀବନ

ଟଳିପଡ଼ିଥିବ ଶେଷେ ବରିନେଇ କୀଟର ଦଂଶନ ।

ଅସ୍ଥି ଚର୍ମ ଖୋଜି-ଖୋଜି କେତେ ତତ୍ତ୍ଵ ଗବେଷଣା ପରେ

ଏ ଜୀବନ-ମୃତ୍ୟୁତଥ୍ୟ ଆବିଷ୍କାର ହେବ ଯେବେ ଥରେ

ସେତେବେଳେ ଅବା ହେବ ଏ ଦେଶରେ କୀଟର ସଂହାର

ଆଜି ନୁହେଁ, ଆଜି ନୁହେଁ, ରକ୍ତହୀନ ମଣିଷ ଉଦାର !

ଆମେ ରେ ଉଦାର ଶିଶୁ ଗାନ୍ଧିଶିଷ୍ୟ ଅହିଂସା-ଭକତ

ଆମ ଦେହୁ ଝରିଯାଏ ପୋଷ-ପୋଷ ଗରମ ରକତ;

ପିଠିରେ ପାହାର ଆଉ ବେତମାଡ଼ ଦେହଘଷା ଆମ

ବିବେକକୁ ଟେକିଦେଇ ଦୁଷ୍ଟଗ୍ରହେ ମାରୁଛୁ ସଲାମ !

ଶଠ, ଶେଠ, ଦଗାଦାର, ଭଣ୍ଡ ନେତା ସେବକ ଦେଶର

ତମେ ତ କହିବ ଆଜି ଏ ମଣିଷ ଧ୍ଵଂସର ଖବର !

ଘୋଟିଆସେ କଳା ରାତି ଚେନା-ଚେନା ମେଘର ଫଉଜ

ଆମେ ରେ ଉଦାର ଜୀବ ! ଆମେ ଭୋଗୁ ଆଜିର ସ୍ଵରାଜ ।

Image

 

ମନର ଚନ୍ଦ୍ରିକା ମୋର

 

କହି କି ପାରିବ ବନ୍ଧୁ !

କେତେ ଦିନ ଚନ୍ଦ୍ରର ଜୋଛନା

ଲୁଚିଥିବ ସୀମାହୀନ

ଗଗନର ବୁକେ ?

କେତେ ଦିନ ରାହୁଗ୍ରାସେ

ହୋଇବ ମଳିନ

ରଜତର ତରଳ ଚନ୍ଦ୍ରିକା ?

ସୀମାହୀନ ଦିଗନ୍ତରେ

କଳା ମେଘ କହ କେତେ ଦିନ

ଅରୁଣର ଛାତିପରେ

ଢାଙ୍କିଥିବ ବହଳିଆ-

କୃଷ୍ଣ ଆସ୍ତରଣ,

ଅରୁଣିମା ଟିକି-ଟିକି କରୁଥିବ ଚୂର୍ଣ୍ଣ ?

 

ନୁହେଁ କି, ଏ କ୍ଷଣିକର କଥା ?

କହ ସଖା,

ତଥାପି କିପାଇଁ ପ୍ରାଣେ

ବିଷାଦର ରେଖା ପାତ

କାଳିମାର ଛାୟା-

କିପାଁ କହ ଦିଏ ଦେଖା ?

ମନରେ ଏ ଅଯଥା ଆଶଙ୍କା ?

ଦେଖ ସଖା !

କୈଶୋରର କିଶଳୟ

ଯୌବନରେ ଅଫୁରନ୍ତ କଢ଼ି

ମନରେ ମୋ’ ସୃଷ୍ଟି କରେ

ଲକ୍ଷ ଇନ୍ଦ୍ର ଧନୁ,

ରୂପାୟିତ ରଙ୍ଗେ ତାର

ତୋଳେ ମୁହିଁ କଳ୍ପନାର ସୌଧ !

ଦିଗହଜା ପକ୍ଷୀପରି

ମନ ମୋର ଉଡ଼ିଚାଲେ

ଦିଗନ୍ତ ସେପାରେ

 

ଶୁଷ୍କ ନୀରସର-

ସ୍ତୂପୀକୃତ ବାଲୁକାପ୍ରାନ୍ତରେ ।

ମରୁ ସାହାରାର ବୁକେ

କଳ୍ପନାର ସୌଧ ମୋର

ହୁଏ ଧ୍ଵସ୍ତ ବ୍ୟସ୍ତ !

ଖାଲି ଏକ ଧ୍ଵଂସର ତାଣ୍ଡବ !!

କ୍ରୁର ବିଭୀଷିକା !!

କହ ସଖା !

ନୁହେଁ କି ଏ କ୍ଷଣିକର କଥା ?

ମୁହୂର୍ତ୍ତକପରେ ପୁଣି

ମନକୋଣେ ଟାଣିଦିଏ

ସୁବିଶାଳ କାଳ-ଯବନିକା

ମୁହୂର୍ତ୍ତକ.....

କ୍ଷଣିକର କଥା .....

କେତେ ବିଭ୍ରାଟ-

କେତେ ପରିବର୍ତ୍ତନ-

କେତେ ଆଶା-ଆଶଙ୍କାର

ସଜ ଆଲୋଡ଼ନ ।

ଏସବୁ ତ ମିଥ୍ୟା ନୁହେଁ,

ଅତି ସତ...

ନିରାଟ ବାସ୍ତବ... ।

ତେବେ-

କହ ସଖା !

ମୁହୂର୍ତ୍ତକ ହେଲେ ସୁଦ୍ଧା

କେସନେ ମୁଁ ଧୈର୍ଯ୍ୟ ଧରି

ଯାପିବି ଜୀବନ ?

ମନରେ ଚନ୍ଦ୍ରିକା ମୋର

କେତେ ଦିନ ଲୁଚିଥିବ

ବିଷାଦର ବାଦଲ ଭିତରେ ?

କେତେ ଦିନ ଚନ୍ଦ୍ରର ଜୋଛନା

ଲୁଚିଥିବ ସୀମାହୀନ-

ଗଗନର ବୁକେ ?

କହ କେତେ ଦିନ ?

କେତେ ଦିନ ? ଆଉ କେତେ ଦିନ ?

Image

 

ମୁଁ ଉଠିଛି

 

ଏଇ ଯେ ଉଠିଛି ଜହ୍ନ

ନୀଳିମ ଏ ଆକାଶର ତଳେ

ତା ସାଥେ ଉଠିଛି ସଖା !

ଉଠିଛି ମୁଁ ସବୁଜ ଏ ଧରଣୀ-ବକ୍ଷରେ

ମୁଁ ଉଠିଛି ନିଷ୍ପେଷିତ...ଦଳିତ

ନିପୀଡ଼ିତ କୋଳୁ

ମୁଁ ଉଠିଛି ଅନ୍ଧକାର ଅମାରାତି

ସହସ୍ର ନିଦ୍ରାରୁ ।

ଆକାଶେ ଉଠିଛି ଜହ୍ନ

ଜ୍ୟୋତ୍ସ୍ନା ତାର ପୁଲକିତ

ଆମୋଦର ବିସ୍ତୃତ ପ୍ରକାଶ...

ଏ ମାଟିର ତଳେ ପୁଣି ଖେଳିଯାଏ

ହସ-ଖୁସି-ଜୁଆରର ଖେଳ ।

ଆକାଶର ଅଗଣନ ମିଟି-ମିଟି ତାରାର ଗହଣେ

ଆଜି ତ ଉଠିଛି ସଖା !

ଲୋଭନୀୟ ଏଇ ସେହି

କମନୀୟ ଜହ୍ନ ।

ମୁଁ ଆଜି ଉଠିଛି ସଖା !

ଉଠିଛି ଏ ଜହ୍ନସାଥେ

ନିମୀଳିତ ରାତ୍ରିର ପଲକେ

ଅଳସ ଓ ତନ୍ଦ୍ରା କୋଳୁ

ପାରିଛି ମୁଁ ନିଜକୁ ଖସାଇ ।

ଜନହୀନ ନିସ୍ତବ୍ଧ ଏ ରାତ୍ରି ଭେଦ କରି

ତୁମେ ସଖା ! ପାରିବ କି

ମୋତେ ଆଜି ପାରିବ ବଞ୍ଚାଇ ?

ମାତ୍ର ଏଇ ରାତ୍ରଲାଗି

ଲୋଡ଼େ ସଖା ! ଖାଲି ଟିକେ

ସାହଚର୍ଯ୍ୟ ତୁମ

ଏକାକୀ ମୁଁ...ନିର୍ଜନ ରଜନୀ...

ଉପରେ ହସୁଛି ଜହ୍ନ–

ବିଦ୍ରୁପର ହସ !

ମୁଁ ଦେଖୁଛି ନିଶାଚର, ଡାହୁକ ଓ

ହିଂସ୍ରଜନ୍ତୁ ଯେତେ–

ସମ୍ମୁଖେ ମୋ । ଭୟଙ୍କର ବିପଦସଙ୍କୁଳ ।

ପ୍ରତିପଦେ ସଦା ମୋର

ଫୁଟୁଅଛି ଏଇ ଦେଖ

କଣ୍ଟା ଅସୁମାର ।

ମୁଁ ଉଠିଛି ଜହ୍ନସାଥେ

ମୁଁ ଉଠିଛି ସବୁଜ ଏ ମାଟିର ଉପରେ

ମୁଁ ଦେଖୁଛି ହତଭାଗା–

ପୃଥିବୀର ନରନାରୀ ଯେତେ

ସୁପ୍ତ ଏଇ ରାତ୍ରିର କୋଳରେ ।

 

ଆଜି ଏଇ ନୀଳିମ ଆକାଶେ

ବିଦ୍ରୁପେ ହସଇ ଯେବେ–

ଜହ୍ନ, ଏଇ ଅଗଣନ ତାରାର ଗହଣେ

ମୁଁ ଗଡ଼ାଏ ଅଶ୍ରୁ ଖାଲି

ସାଥୀହୀନ ଏକାକୀ ଏ

ନିଶାରାତି ପ୍ରଥମ ପ୍ରହରେ ।

ମୁଁ ଆଜି ଉଠିଛି ଏଇ

ଆଣବିକ ବିଂଶ-ଶତାବ୍ଦୀରେ

ପରମାଣୁ-ଅସ୍ତ୍ରସାଥେ

ଏ ମାଟିରେ ଚାଲେ ନାହିଁ

ମାନବର ପାଶବିକ ଖେଳ ।

ମୁଁ ଉଠିଛି ନିର୍ଯ୍ୟାତିତ

ସମାଜର ସାମିଆନାତଳେ

ସମ୍ମୁଖେ ମୋ ପୁଞ୍ଜିପତି, ଜୁଆଚୋର–

ଶଠ ଆଉ ଲାଭଖୋର

ଅତ୍ୟାଚାରୀ ଦଳ,

ମୋତେ ଯହିଁ ଭୟ ବି ଦେଖାନ୍ତି ।

 

ମୁଁ ଦେଖୁଛି ଆଜି ଏଠି

ବିଜ୍ଞାନର ବିଭବ ଭିତରେ

ମାନବତ୍ଵ...ଯାହା କିଛି–

ସତ୍ୟ, ଶାନ୍ତି, ଦୟା, କ୍ଷମା

ମିଳେଇଯାଇଛି

ଉଦ୍‍ଯାନ ବୋମା ଆଉ ଆଟମ୍‍ର

ବିଷାକ୍ତ ବାଷ୍ପରେ ।

 

ମୁଁ ଆଜି ଉଠିଛି ଏଇ ଚନ୍ଦ୍ର ସାଥେ

ପୃଥିବୀର ବିଳାସ-ଗହ୍ୱରୁ

ଆଜିର ଏ ଆଧୁନିକ

ନବ୍ୟ ସଭ୍ୟ ‘ରକେଟ୍’-ଯୁଗରେ,

 

(ଲକ୍ଷ୍ୟହୀନ ନୁହେଁ ମୁହିଁ)

ସମ୍ମୁଖେ ମୋ ପ୍ରଗତିର

ବିଶ୍ଵଜୟୀ ବାନା ।

ବାସ୍ତବର ରଥ ଚଢ଼ି

ମୁଁ ଦେଖୁଛି ଆଜି ଏଠି......

ଦୂରେ କେଉଁ ଦୂରେ–

ବଣ ବିଲ ପାହାଡ଼ କନ୍ଦରେ

ସ୍ତୁପୀକୃତ ବାଲୁକା ପ୍ରାନ୍ତରେ

ଶସ୍ୟ-ଶ୍ୟାମ ଧରଣୀର ନଗ୍ନଛବି... I

ମୁଁ ଶୁଣୁଛି

ଚାଷୀ-ହୃଦ ବିକଳ କ୍ରନ୍ଦନ !

ମୁଁ ଦେଖୁଛି ନିସ୍ତବ୍ଧତା ଭେଦ କରି

ସହସ୍ର ଯୋଜନ....

ଆଗପଛ ବାମ ଆଉ

ଡାହାଣ ଦିଗରେ

ସହଯୋଗୀ କିଏ କାହିଁ ?

ସହଯାତ୍ରୀ ଅଛ କିଏ ଏଠି ?

ପାଦ ମୋର ଥମିଯାଏ...ଏକାକୀ ମୁଁ–

ଆଜିର ଏ ଜନହୀନ–

ନିର୍ଜ୍ଜନ ରାତ୍ରିରେ ।

Image

 

ସ୍ମୃତିର କବର ତଳୁ

 

ମୋର ଅତି ଆପଣାର ପୋଷା ପକ୍ଷୀ

ଉଡ଼ିଗଲା କାହିଁ–

ମୋର ହୃଦ-ପିଞ୍ଜରାଭିତରୁ,

ଯେତେ ସ୍ନେହ, ଶ୍ରଦ୍ଧା ଆଉ

ଆଦରର ଶିକୁଳି ଛିଣ୍ଡାଇ,

ତମେ ସଖୀ ଦେଖିଛ କି କେହି ?

ଆକାଶର କେଉଁ କୋଣେ

କେଉଁ ଦୂର ପାହାଡ଼ ଉହାଡ଼େ

ହୁଏତ ସେ ଲୁଚିଗଲା ଆଖି-ପିଛୁଳାକେ !

ଶୁନ୍‍ଶାନ୍ ସବୁ ନିମିଷକେ...

ସୁନାର ତା ପିଞ୍ଜରାଟି

ରହିଗଲା ସେହିପରି ଶୂନ୍ୟ ଚିରଦିନ ।

ଆଜି ମୁଁ ଏକାକୀ ବସି କେତେ କାହିଁ

ଭାବିହୁଏ ଖାଲି ଅକାରଣ ।

ସତେ କି ବୁଝିବ ସିଏ ?

ତା’ ଲାଗି ମୁଁ କେତେ କାହିଁ

ଖୋଜି-ଖୋଜି କେତେ ଯେ ଦରବ

ରଖୁଥିଲି ସଜାଡ଼ି ନିରତ,

ସତେ କି ବୁଝିବ ସିଏ ?

ତା’ ଲାଗି ମୁଁ କେତେ ଗୀତ କରିଛି ରଚନା !

ସିଏ କିଛି ବୁଝିନି ହୁଏତ !

ଉନ୍ମିନ୍ଦ୍ର ରଜନୀ କେତେ ବିତାଇଛି-

ଖାଲି ତାର ପଥ ଚାହିଁ ଚାହିଁ ।

କିଏ ଜାଣେ ସେ ରହିଛି କାହିଁ ।

ଉନ୍ମୁକ୍ତ ଆକାଶେ ସିଏ ଉଡ଼ିଗଲା...

ଏକା କରି ମୋତେ ଗଲା ଛାଡ଼ି...

ତାର ସେଇ ସ୍ପଷ୍ଟ ଭାଷା-

ହରିନାମ... “ଜଗତ କରତା...”

ଏବେ କି ମୋ କର୍ଣ୍ଣେ ଉଠେ ବାଜି ।

ତେଣୁ ଖାଲି ଖୋଜିହୁଏ ଆଜି,

ମୁହଁ ତାରେ ଭୁଲି ନାହିଁ ପାରି

କେବେ ମୁହିଁ ପାରିବି ନି ଭୁଲି ।

 

ମୁଁ ଯଦି ଜାଣିଥାନ୍ତି

ଦିନେ ସିଏ ଚାଲିଯିବ

ଏଇଭଳି ନିଷ୍ଠୁରଭାବରେ

ଏତେ ସ୍ନେହ-ଶ୍ରଦ୍ଧା କିଆଁ-

ଦେଇଥାନ୍ତି ତା’ରେ ?

କିଆଁ ତାରେ କରିଥାନ୍ତି ଆଦରର

ଅତି ଆପଣାର ?

କିଆଁ ପୁଣି ହେଉଥାନ୍ତି ଘାରି ତା’ ବିଚ୍ଛେଦେ ?

ଅଯଥା ମୁଁ ଆଜି ଏତେସରି !

ମନେ ମୋର ଅସେ ଅବଶୋଷ !

ଅନୁତାପେ ଘାରିହୁଏ ବସି-

କିଆଁ ସତେ ବୁକୁର ମୋ’ ଏତେ ସ୍ନେହ-ଶ୍ରଦ୍ଧା ଢାଳି,

ସୁନାର ପିଞ୍ଜରା ଗଢ଼ି,

ରଖିଥିଲି ପକ୍ଷୀଟିଏ ପୋଷି ?

Image

 

ବିଶ୍ଳେଷଣ ଗୋଟିଏ ମନର

 

ମୋ ମନର ମନସ୍ତତ୍ତ୍ୱ...ଜୀବନର ଦର୍ଶନ...ତଥାପି

ଜାଣିବା ସହଜ ନୁହେଁ ? ମୁହିଁ ଏକ ଅଦ୍ଭୁତ ମଣିଷ ?

ଅବଶ୍ୟ ଏ ଦୁନିଆର ବନ୍ଧୁର ଏ ପଥ ମାପି-ମାପି

ଚାଲି ମଧ୍ୟ ଝୁଣ୍ଟିପଡ଼େ, ଅଙ୍ଗ ମୋର ଏକାନ୍ତ ଅବଶ !

ଅବଶ ଶରୀର ଆଉ କ୍ଳାନ୍ତ ମନ ବିଷଣ୍ଣ ବଦନ

ସମ୍ମୁଖରେ ମିଥ୍ୟା ଆଉ ଜୁଆଚୋରୀ...

ଖାଲି ବ୍ୟଭିଚାର... !

ନିରାଶ୍ରୟ ଦୁର୍ବଳ କି ମୁହିଁ ଅବା ଆଜି ସାଥୀହୀନ ?

ପରାଜିତ ଭୀରୁ କେଉଁ ହତବାକ୍...ଛିନ୍ନ ବୀଣାସ୍ୱର ?

ହୁଏତ ବୀଣାର ତନ୍ତ୍ରୀ ବାଜୁଥିଲା କେବେ ମନ୍ଦ୍ରତାନେ !

ଜୀବନର ସବୁ କିଛି ସବୁଜିମା, ସ୍ଵପ୍ନ, ଆଶା, ପ୍ରଣୟ-ଜୁଆର

ଖେଳୁଥିଲା ଅବିରତ । ସେସବୁ ମୁଁ

ଅଳୀକ ଓ ମିଥ୍ୟା ଆଜି ମଣେ,

ଏ ଜୀବନ ଆଜି ଯେଣୁ ଦୁର୍ବିସହ ନିତାନ୍ତ ଦୁସ୍ତର ।

ସମୟ-ଚକରେ ଘୁରି ମୁଁ ପାଇଛି ନୂତନ ସନ୍ଧାନ,

ମୁଁ ଦେଖୁଛି ଦୁନିଆରେ ସତ୍ୟ ଆଉ ନ୍ୟାୟ ସ୍ୱପ୍ନସମ ।

ସ୍ୱପ୍ନ ଆଜି ଗୀତାଧର୍ମ, ବେଦ ଅବା ବାଇବଲ୍ କୋରାନ୍

ମଣିଷ ହୁଡ଼ିଛି ପଥ... । କେପଚାରେ, ସ୍ରଷ୍ଟା ଭଗବାନ୍ ?

ଦିବସର ଶେଷଭାଗେ ଅନ୍ଧକାର ମାଡ଼ିଆସେ ଦେଖ...

ଅମାରାତି...ଘନଘୋର ବରଷାର ସୂଚନା ବି ମିଳେ ।

ଏ ଦିନରେ ବଜାଇ କି ପାରିବି ମୁଁ ବିଜୟର ଶଙ୍ଖ ?

ପାରିବି ମୁଁ ଲଙ୍ଘି ଏଇ ପାରାବାର ଏକଇ ଲମ୍ଫରେ ?

ତଥାପି ସହଜ ନୁହେଁ ଜାଣିବା ମୋ ମନସ୍ତତ୍ତ୍ୱ...

ଜୀବନ-ଦର୍ଶନ... ?

ମୁଁ କି କାହିଁ ପାରିବି ରେ

ବଖାଣି ମୋ ଜୀବନ-ନାଟିକା !

ସରଳ ପରାଣ ମୋର ଜଳିଯାଏ,

କିଏ ତୁମେ ଯୋଗାଅ ଇନ୍ଧନ... ?

ନିରୁପାୟ ଅସମର୍ଥ...ରହିଗଲା...ରହିଯାଉ-

ସବୁ ଯାହା ଅସ୍ପଷ୍ଟ ଅକୁହା...

କିଛି ଆଜି କହିବି ନି ଆଉ ମୁଁ ଅବିକା ।

Image

 

ସମୁଦ୍ର ବେଳାରେ ବସି

 

ତୁମେ କେବେ କରିଅଛ ଅନୁଭବ-

ସମୁଦ୍ରର କ୍ଷୁଧା

ତୁମରି ଏ ରକ୍ତ ମାଂସ-ଶରୀର ମଧ୍ୟରେ ?

ତୁମେ କେବେ ଦେଖିଅଛ ସାଗରର ରୂପ–

ପ୍ରଭାତରେ

ଦିଗ୍‍ବଳୟ-ବୁକୁ ଚିରି

ସୂର୍ଯ୍ୟ ଯେବେ ଡେଇଁପଡେ ସାଗରର କୋଳେ,

ଅବା ଯେବେ ଲୁଚିଯାଏ ଧୀରେ ଅସ୍ତାଚଳେ

ଅବା କେଉଁ ପୁଲକିତ ଜୋଛନା-ରାତିରେ

ଚନ୍ଦ୍ର ଯେବେ ଲୁଚକାଳି ଖେଳୁଥାଏ ଢେଉ ସାଥେ

ସାଗରର ଜୁଆର ମଧ୍ୟରେ ?

ଅଥବା ଦେଖିଛ ତୁମେ ଏ ସମୁଦ୍ର

ଅନ୍ଧକାର ନିଜନ ରାତିରେ ?

ବାଲୁକା-ବେଳାରେ ବସି ସୀମାହିନ ଦିଗନ୍ତ ସେପାରି...

କି ଦେଖିଛ ? ଦେଖିଛ କି କିଛି ?

ତୁମରି ଆଖିରେ ଅବା କେବେ ଅଚାନକ

ପଡ଼ିଛି କି ସମୁଦ୍ରର ସତେ ଭିଷ୍ମରୂପ ?

ଘୁ. ଘୁ..ଗରଜନ...ସିଁ...ସିଁ..ପବନରେ ବାଲିଝଡ଼

ଅଶାନ୍ତ ଉତ୍‍କ୍ଷିପ୍ତ...

ପୁଣି ବିଦ୍ରୋହର ତୋଫାନ...

ବିପ୍ଳବର ବାତ୍ୟା....

ଆଉ–

ଜିଂଘାସାର ଦୁନ୍ଦୁଭି କୁହାଟ...

ଉର୍ମି ରତେ ସୈନ୍ୟଥାଟ । ସତେ ଅବା–

ଲଙ୍ଘି ଏହି ବେଳାଭୂମି ସୁଦୃଢ଼ ପ୍ରାଚୀର

ଗ୍ରାସ କରିଯିବ ପୁଣି ନିମିଷକେ ଏ ପୃଥିଟା ଯାକ !

ମୁଁ ଆଜି ଦେଖିଛି ବସି ନୀରବରେ ସାଗରର ରୂପ

ମୁଁ ଆଜି ଶୁଣୁଛି ଏଥି ଘୁ...ଘୁ ଗରଜନ ଡାକ ।

ମୁଁ ଆଜି ପାରୁଛି କରି, ମୋ ମଧ୍ୟରେ–

ଅନୁଭବ ସମୁଦ୍ରର କ୍ଷୁଧା...

(ହଠାତ ଏଣେ ଲୁଚିଯାଏ କାହିଁ କେଣେ

ମୋ ମନର ରାଧା ! ମୁହିଁ ତେଣୁ

ଖୋଜି ହୁଏ କେତେ କାହିଁ

ଆଜି ଅକାରଣେ ! )

ଅୟୁତ ବରଷ ଧରି ଏ କ୍ଷୁଧାର ଅବସାନ

ଆଜିଯାଏ ହୋଇ ନି ଯେସନ !

ଅବା କିଏ ଜାଣେ

ହୁଏ ତ ଏ ପୃଥିବୀଟା ହୋଇଯିବ ଜଳାର୍ଣ୍ଣବ ଦିନେ !

ଆଉ ଆମେ ଏ ପୃଥିବୀର ଯେତେ ଅଧିବାସୀ

ମାଟିର ମମତା ଛାଡ଼ି

ଯିବୁ ଉଡ଼ି କେଉଁ ଏକ ନୂତନ ଗ୍ରହକୁ...

ନୂତନ ଯୋଜନା ପୁଣି ଥଇଥାନ...ନୂତନ ଜୀବନ...

ଏ ଧରାର ଅବସ୍ଥିତି...ଲୀଳାଖେଳା ହେବ ସ୍ଵପ୍ନସମ ।

ହୁଏତ ସେତିକିବେଳେ

ସମୁଦ୍ର ର କ୍ଷୁଧା ଅବା ମେଣ୍ଟିଯାଇପାରେ

ହୁଏତ ସେଦିନ

ଘୁ...ଘୁ...ଗରଜନ...ଝଟିକା ତୋଫାନ...

ଆପେ ଆପେ ହେବ ଅବସାନ !

ଏ ପୃଥୀର ସେତେବେଳେ

ହୋଇଥିବ ନିଶ୍ଚିନ୍ତରେ ଅନନ୍ତଶୟନ !

ବାସୁକି ଉଷତେ ପୁଣି

ଫଣା ଟେକି ଛାଢ଼ୁଥିବ ସତେ ଅବା ଆଶ୍ୱସ୍ତିର ଶ୍ୱାସ ଘନଘନ ।

Image

 

ଏକଦା ଅନ୍ଧକାର ସାନ୍ନିଧ୍ୟେ

 

ଆଜିଠାରୁ ବହୁ ବର୍ଷତଳେ

ଅନ୍ଧକାର ଆସିଥିଲା–

ମୋ’ କୁଟୀରେ ଅବାଞ୍ଛିତ ଅତିଥିରୂପରେ ।

 

ଗୋଟା କେଉଁ ଦୁର୍ବଳ ମୁହୂର୍ତ୍ତେ,

ଆଶ୍ରୟ ମୁଁ ଦେଇଥିଲି ତା’ରେ ।

ସିଏ କିନ୍ତୁ ଏଇ ଅବସରେ

ମୋ ସହିତ ଘନିଷ୍ଠତା କରିଛି ସୁଦୃଢ଼,

ଏକ ଘରେ, ଏକ ଅନ୍ନେ, ଏକ ସାଥେ କରି ଚଲାବୁଲା

ରାହୁପରି ଗ୍ରାସିଅଛି

ମୋ ମନର ଶୁଭ୍ରତା ଓ ସୁଖ, ଆଶା, ସ୍ଵପ୍ନ–

କରିଛି ମୋ ସର୍ବସ୍ଵ ଲୁଣ୍ଠନ ।

 

ସମବାୟୀ ମନ ମୋର ଆଜି ତେଣୁ କ୍ଷୁବ୍ଧ ପରାହତ ।

ମୁଁ ହୋଇଛି ପଥଭ୍ରଷ୍ଟ ଅନ୍ଧକାର କୁଚକ୍ରରେ ପଡ଼ି ।

ମୋ’ ବିବେକ, ବୁଦ୍ଧି, ଜ୍ଞାନ, ମାନବିକ ଯାବତ ସମ୍ମାନ

ଲୁପ୍ତପ୍ରାୟ । ଏଯାଏ ମୁଁ ଥିଲି ପଥ ହୁଡ଼ି ।

 

ଆଜି କିନ୍ତୁ ଗଭୀର ଏ ଜନହୀନ ନିର୍ଜନ ରାତ୍ରିରେ

(ଅନ୍ଧକାର ସେତେବେଳେ ଶୋଇଥିଲା ମୋ ସାଥିରେ

ଏକ ବିଛଣାରେ !)

ମୁଁ ଧୀରେ ବଢ଼ାଏ ପାଦ ଆଗାମୀର ପଦଧ୍ୱନି ବାରି

 

ସନ୍ତର୍ପଣେ ସାବଧାନେ ନିଜ ଶଯ୍ୟା ଛାଡ଼ି ।

ଲୁଚି-ଲୁଚି ଛପି-ଛପି

ଅନ୍ଧକାର କବଳରୁ ମୁକୁଳାଇ ଆପଣାକୁ ଆପେ–

ମୁଁ ଯେବେ ବଢ଼ାଏ ପାଦ କୁଟୀରର ଦ୍ଵାର ଆରପାଖେ

ଅନ୍ଧକାର ସେତେବେଳେ କର ଲେଉଟାଇ, ଆଃ ପୁଣି !

 

ଶୋଇଯାଏ ନିଘୋଡ଼ ନିଦରେ !

ପ୍ରଚୁର ଆଶ୍ୱସ୍ତି ଲଭି

ମୁଁ ଯେବେ ପଳାଏ ଦୂରେ

ଦ୍ରୁତବେଗେ ପରମ ଉଲ୍ଲାସେ,

ପରିତ୍ୟକ୍ତ କୁଟୀର ମୋ’ କଂପିଉଠେ–

ବିଷାକ୍ତ ଓ ଗରମ ନିଃଶ୍ୱାସେ ।

 

ବିସ୍ମିତ ଓ ଚକିତରେ ଚଲାପଥୁ ମୁଁ ନିଜକୁ ବହୁବାର

ଏବେ ପ୍ରଶ୍ନ କରେ–

ଅନ୍ଧକାର କି କାରଣେ ବହୁ ବର୍ଷତଳେ

ଆସିଥିଲା ମୋ କୁଟୀରେ ଅବାଞ୍ଛିତ ଅତିଥିରୂପରେ ?

Image

 

ବୃନ୍ତଚ୍ୟୁତ

 

ମୋ ମନର କାନନରେ

ଅକସ୍ମାତ୍ ଥରେ

ଆଶାର ଫୁଲ ଯେବେ ଫୁଟେ,

ଗନ୍ଧ ତା’ର ବିଚ୍ଛୁରିତ ହୁଏ

ଜୀବନ-ଉଦ୍ୟାନେ

ଭାସିଯାଏ ପବନେ ପବନେ

ଦୂରେ...ବହୁ ଦୂରେ...

ଚହଟାଇ ମହକାଇ

ମତୁଆଲା କରେ ମୋତେ

ଭାବୁକ ମୁଁ ଛୁଟିଯାଏ

କେଉଁ କଳ୍ପଲୋକେ ।

ଖାଲି ସ୍ୱପ୍ନ-ସୁଖ-ଆଶା-ପ୍ରଣୟର ସିନା !

 

ଆଜି କିନ୍ତୁ

ମୋ’ ମନ-କାନନେ ବହେ

ନିରାଶା ଓ ଅଶାନ୍ତିର ଝଡ଼

ନିତ୍ୟ ଅହରହ,

ଆଶାର କଳିକା ହୁଏ ବୃନ୍ତଚ୍ୟୁତ

ଫୁଲର ପାଖୁଡ଼ାସବୁ ଝଡ଼ିଯାଏ...

ଅସମୟେ

ଟିକିଟିକି ଗୋଟିଗୋଟି...ଖିନ୍‍ଭିନ୍‍...ସବୁ-

ମାଟିରେ ମିଳାଇଯାଏ ।

ନିମିଷକେ ସବୁ ଶୂନ୍‍ଶାନ୍‍

ହତବାକ୍ ମୁହଁ ଆଜି କ୍ଷୁବ୍ଧ ପରାହତ

ମନର କାନନ ମୋର ଶୂନ୍ୟ ପରିତ୍ୟକ୍ତ

ମୁଁ ଆଜି ଆହତ !

ମୋ ଆଗରେ–

ବର୍ତ୍ତମାନ ? ଅର୍ଥହୀନ ।

ଭବିଷ୍ୟତ ? ଅନିଶ୍ଚିତ ।

କେବଳ ଅତୀତ...

ହଜିଲା ଦିନର ସେଇ ରାଶି-ରାଶି ସ୍ମୃତି-ବିଜଡ଼ିତ

ରଙ୍ଗୀନ୍ ସବୁଜ କଳ୍ପନା...

ହସ ଖୁସି ପ୍ରଣୟର ପ୍ରୀତି-ଉପାସନା

ବିସ୍ମୃତି-ଗରଭେ ଧୀରେ ଲୀନ ହୁଏ

ଅତୀତ ବି ମୃତଅ...ବିଲୁପ୍ତ... !

 

ମନର କାନନେ ମୋର

ଆଶାର କଳିକା ହୁଏ ବୃନ୍ତଚ୍ୟୁତ

ଗୋଟି-ଗୋଟି ଖିନ୍‍ଭିନ୍‍...ସବୁ ଶୂନ୍‍ଶାନ୍‍...

ମୁଁ ତେଣୁ ଆହତ

ରିକ୍ତ ଆଉ କ୍ଷୁବ୍ଧ ପରାହତ... ।

Image

 

ମୋତେ ଆଜି ହସିବାକୁ ଦିଅ

 

ଶତାବ୍ଦୀର ନିଶାଭୋଳେ

ଆଜି ମୁହଁ ହୋଇଛି ମାତାଲ୍

ମୋତେ ଖାଲି ହସିବାକୁ ଦିଅ

ଏ ମାଟିର ନଗ୍ନ ବୁକୁ କ୍ଷତ ଆଉ–

ହୋଇଅଛି ଲାଲ୍

ମୋତେ ତେଣୁ ହସିବାକୁ ଦିଅ ।

କରିଛି ମୁଁ ଦୁଃଖର ସଉଦା

ନିରାଶାର ବ୍ୟଥିତ ଅନ୍ତରେ,

ଅଶ୍ରୁ ଢାଳି କରିଛି ମୁଁ ଓଦା

ଏ ଧରଣୀ ଅକାତଚିତ୍ତରେ;

ଜୀବନର ହସ-ଖୁସି

ବିକିଦେଇ ‘ଟାଉଟର୍’ ହାତେ

ବିବେକର ବେକ ମୋଡ଼ି

‘ମିଥ୍ୟାବାଦୀ’ ହୋଇଛି ଜଗତେ.... ।

ଆଉ ନୁହେଁ....ଆଉ ନୁହେଁ...

କିଏ ତୁମେ ? ହସ୍ତେ ମୋର ପିନ୍ଧାଇବ ବେଡ଼ି ?

କୋରଡ଼ାର ଭୟ ବି ଦେଖାଅ ?

ହସ ମାଡ଼େ ମୋତେ.... ।

ଆଉ ଥରେ ଆସିଅଛ କି ସାହସେ

କିଣିବାକୁ ମନୁଷ୍ୟତା ମୋର ?

ଫମ୍ପା କରି ଜୀବନଟା

ସବୁ କିଛି ଦେଇ ମୁଁ ସାରିଛି,

ତଥାପି–

କପଟତା....ଛଳନା....ମିଥ୍ୟା....ପ୍ରବଞ୍ଚନା, ଛି ଛି... !

ଆଜିର ଦୁନିଆ ମୋତେ କି ଆଖିରେ ଦେଖିବ ଜାଣେ ନା

ରସହୀନ ଶୁଷ୍କ ଜୀବ

କ୍ଷୁଦ୍ର ଏକ ଶିଶୁର ଖେଳନା ।

ମାଟିର ମମତା ମୋତେ

ତଥାପିତ ଅଟକାଇ ରଖେ,

ନଗ୍ନ ଏହି ତନୁର ମହକ ଥରି ଥରି ଆଜି ମଧ୍ୟ ଡାକେ....

ଅତୀତର ଅପାଶୋରା–

ମଧୁ ବୋଳା ସ୍ମୃତି ଜାଗେ ମନେ.....

ଲାସ୍ୟମୟୀ କେଉଁ ଏକ କମନୀୟ ପ୍ରଥମ ଫଗୁଣେ

ଯୌବନର ଅର୍ଘ୍ୟ ନେଇ

କ୍ଷୁଦ୍ର ଏଇ.କୁଟୀରର କୋଣେ

ଅଧରେ ଅଧର ରଖି

ଚପାଚପା ଦରହସା ସୁରେ

କହିଥିଲା-ପ୍ରିୟ ସତେ–

ଜୀବନଟା ଦୁର୍ବିସହ ଏତେ ?

ସୁଖର ସରଣୀ ଆମ ପାରିବା ତ ବାହି

ପ୍ରବଞ୍ଚନା......ଝଡ଼-ଝନ୍‍ଜାମେଳେ ?.....

ସ୍ଵପ୍ନ..... ?

ସ୍ୱପ୍ନ ଖାଲି ସବୁ ? ?

ଦୁଃଖର ଜଠରଜ୍ୱଳା ଅସହ୍ୟ ହେଲାଣି

ତଥାପି ତ ହସ ମାଡ଼େ ମୋତେ ।

ଏ ଶତାବ୍ଦୀ ମୋତେ ଆଜି କରିଛି ମାତାଲ୍

ମୋତେ ଖାଲି ହସିବାକୁ ଦିଅ,

ଏ ମାଟିର ନଗ୍ନ ବୁକୁ କ୍ଷତ ଆଉ ହୋଇଅଛି ଲାଲ୍ ।

ମୋତେ ଆଜି ହସିବାକୁ ଦିଅ ।

Image

 

ପରିଚୟ

 

ଏଇ ମାଟି ଏ ଆକାଶ

ଏ ଜୀବନ-ଲୀଳାଖେଳା ତଳେ

ଏକମାତ୍ର ଧୂଳିକଣା

ନାମହୀନ ସଂଜ୍ଞାହୀନ

ବିରାଟ ଏ ବିଶ୍ୱ-ପାରାବାରେ

ଏହାର ଜନମ ଅବା ହୋଇପାରେ

ପ୍ରସ୍ତରର ଆକସ୍ମିକ ସଂଘର୍ଷଫଳରେ

ହୁଏତ ବା ନଦୀବକ୍ଷେ ଗଡ଼ିଗଡ଼ି ତନୁ ତା’ର–

କ୍ଷୀଣ ଆଉ ଅସ୍ପଷ୍ଟ ହୋଇଛି,

ନତୁବା ଏ ଜନ୍ମ ତା’ର ଲଭିଅଛି

କେଉଁ ଏକ ସୁକୌଶଳୀ ବିନ୍ଧାଣୀର ନିହାଣମୁନରେ,

ହୋଇପାରେ,

କୋଣାର୍କର ଅପରୂପ ଶିଳ୍ପ-ସୃଷ୍ଟିବେଳେ ।

ଏହାର ଜନମ ଯଦି ହୋଇପାରେ

ଆକସ୍ମିକ ଅବା ଲକ୍ଷ୍ୟହୀନ,

ମୃତ୍ୟୁ ତାର ସେହିପରି ଅଲକ୍ଷିତ...ଅକସ୍ମାତ୍–

ଧରାପୃଷ୍ଠେ ହୋଇବ ବିଲୀନ ।

ଜନ୍ମସାଥେ ମୃତ୍ୟୁ ଆସେ...

ଧନ, ମାନ, ଯଉବନ....ସବୁ ଘଟେ କ୍ଷୟ,

ମୁହଁ ଏକ ଧୂଳିକଣା....ନାମହୀନ...ସଂଜ୍ଞାହୀନ...

ବିରାଟ ଏ ଧରାତଳେ

ଏଇ ମାତ୍ର ମୋର ପରିଚୟ ।

Image

 

ମାଇଲ୍ ଖୁଣ୍ଟ

 

ମୋ ଜୀବନ ରାଜରାସ୍ତାପରେ

ଗୋଟି ଗୋଟି ମାଇଲ୍ ଖୁଣ୍ଟ ଅତିକ୍ରମ କରି

ମୁଁ ଚାଲିଛି ଗତିପଥେ ମୋର ।

ଏ ପଥର ଦୁଇ କଡ଼େ ଧାଡ଼ି-ଧାଡ଼ି

ନାନାବିଧ ବୃକ୍ଷ ଶୋଭାପାଏ ।

ଶିଂଶପା, ବକୁଳ, ବଟ,

ଟଗର ଓ କୃଷ୍ଣଚୂଡ଼ା

ନାନାବିଧ ବୃକ୍ଷର ସଂଭାର ।

 

ଶ୍ରାନ୍ତ କ୍ଲାନ୍ତ ବାଟୋଇର ଆଶ୍ରାଲାଗି

ଏ ରାସ୍ତାରେ ଠାଏ-ଠାଏ ଚଟିଘର

ଛାଇତଳେ ବିଶ୍ରାମର ସ୍ଥଳ ।

ଏ ବୟସ ମଧ୍ୟାହ୍ନର ସୀମାରେଖା

ସ୍ପର୍ଶ ହେବା ଆଗୁ,

ମୋର ଏହି ଜୀବନର ରାଜରାସ୍ତାପରେ

ପ୍ରଚଣ୍ଡ ଝଡ଼ ଓ ବାତ୍ୟା

ଗ୍ରୀଷମର ରୌଦ୍ର ପ୍ରଖରତା

ତରୁ-ଶାଖା ପତ୍ରେ-ପତ୍ରେ

ବିଷାଦ ଓ ଅଶାନ୍ତିର ସ୍ୱର ।

ଫୁଲରେ ସୁରଭି ନାହିଁ

ଫଳ ରସହୀନ

ମୁଁ ବିସ୍ମିତ ! ହଠାତ୍ କିଆଁ ଦେଖାଦେଲା

ଆଜି ଏ ଦୁର୍ଦ୍ଦିନ !!

 

ତଥାପି ମୋ ଜୀବନର ଗତିପଥ

ଏକାନ୍ତ ଉନ୍ମୁକ୍ତ ।

ଯାତ୍ରା ମୋର ଅବିଶ୍ରାନ୍ତ....

ସ୍ପଷ୍ଟ ଲକ୍ଷ୍ୟସ୍ଥଳ

ବ୍ୟକ୍ତିତ୍ଵର ବମଂତଳେ

ମୁଁ ନିଜକୁ ଆଜି ପୁଣି

ନୂତନ ରୂପରେ

ଆଉ ଥରେ କରେ ଆବିଷ୍କାର ।

ଗୋଟି ଗୋଟି ମାଇଲ୍ ଖୁଣ୍ଟ ଅତିକ୍ରମ କରି

ମୁଁ ଚାଲିଛି ଗତିପଥେ ମୋର

ଦ୍ୱିଧାହୀନ ନିର୍ଭୀକ ଓ ନିର୍ବିକାରଭାବେ ।

Image

 

ଚାରି ଋତୁ

ଗ୍ରୀଷ୍ମ

 

ବସନ୍ତର ହିଲ୍ଲୋଳ ଓ

ସ୍ଵପ୍ନଭରା ପରିବେଶ

ଚପଳ ମୂର୍ଛନା

ଧୀରେ ଧୀରେ ଲୁଚିଯାଏ

ଧରଣୀର ପଣତ ଉହାଡ଼େ ।

ଗ୍ରୀଷମର ତାତି ଆଉ ପ୍ରଖରତା

ଛୁଇଁଯାଏ ପ୍ରତି ପ୍ରାଣ–

ଏ ମାଟିର ଅଣୁ-ପରମାଣୁ ।

ଗ୍ରୀଷମର ଆଗମନେ

ଉତ୍ତପ୍ତ ଉତ୍‍କ୍ଷିପ୍ତ ମନେ

ଆମେ ସର୍ବେ

ଏ ଧରାର ଅଧିବାସୀ

ବ୍ୟସ୍ତ ଓ ବ୍ୟଥିତ ।

ପ୍ରଖର ସୂର୍ଯ୍ୟର ରଶ୍ମି

ତୀକ୍ଷ୍ଣ ଶରାଘାତେ ଯେହେ

ବସୁନ୍ଧରା ବକ୍ଷ ବିଦ୍ଧ କରେ

ଜଳାଧାର ଜଳଶୂନ୍ୟ

ତଟିନୀରେ ଆକୁଳ କ୍ରନ୍ଦନ

ବନାନୀର ସବୁଜିମା ଧୂସର ବିବର୍ଣ୍ଣ

କୋକିଳ କଣ୍ଠରେ ଶୁଭେ

ତୃଷାର୍ତ୍ତର ଆର୍ତ୍ତନାଦ

ପ୍ରତିପ୍ରାଣେ ଦେଖାଦିଏ

ହତାଶା ଓ ରୁକ୍ଷତାର ଛାପ ।

ଏ କି ତେବେ ଅଭିଶାପ ?

ଷଡ଼ଋତୁ ମଧ୍ୟେ ଗ୍ରୀଷ୍ମ

ଭୟାନକ ରୁଦ୍ର ଓ ପ୍ରଖର ।

 

ଏ ଗ୍ରୀଷ୍ମର ଜ୍ୱାଳା ନେଇ

ପ୍ରଖରତା ପ୍ରଚୁର ଆହରି

ମୁଁ ଚାହେଁ ହେବାକୁ ଶାନ୍ତ

ଏ ଧରଣୀ ଅଧିବାସୀ

ପଶୁପକ୍ଷୀ ପ୍ରାଣୀ ।

ମୁଁ ନିଜେ ଜଳିବି ପଛେ

ଏ ଉତ୍ତାପ ପ୍ରଖର କିରଣେ

ମୋତେ ତୁମେ ଜଳିବାକୁ ଦିଅ

ଯେତେ ସବୁ ରାଗ, ଦ୍ୱେଷ, ଅଭିମାନ

ହିଂସା ଆଉ ଉଗ୍ରତାର ବ୍ୟାଧି

ଜଳିଯାଉ ଆଜିର ଏ ପ୍ରଚଣ୍ଡ ଅନଳେ ।

 

ମୁଁ ଆଜି ଡାକଇ ତେଣୁ

ହେ ସୂର୍ଯ୍ୟ-ସାରଥି !

ରଥ ତୁମ ସ୍ଥିର ରଖ

ବନ୍ଦ କର ଅଭିଯାନ ଏଠି ।

ବାହୁଡ଼ାଇ ନିଅ ତୁମ

ଆଗ୍ନେୟାସ୍ତ୍ର...ଉତ୍‍କ୍ଷିପ୍ତ ତୂଣୀରୁ ଶର...

ଏ ଧରଣୀ ଶାନ୍ତ ହେଉ,

ଶାନ୍ତ ହେଉ ପ୍ରଭୁ ! ତୁମ

କୋପ-ରଶ୍ମି-ମନ ।

Image

 

ବର୍ଷା

 

ଆଜି ଏହି ଆଷାଢ଼ର ପ୍ରଥମ ଦିବସେ

ମେଘର ଡମ୍ବରୁ ବାଜେ

ଇନ୍ଦ୍ରଧନୁ ସପ୍ତରଙ୍ଗୀ ମଞ୍ଚ ସୃଷ୍ଟି କରେ,

ଆଉ ଏଣେ

ବିଜୁଳିର ଛଟକରେ

ବର୍ଷା ଆସେ

ରିମି ଝିମି ନାଚି ନାଚି

ଧିରେ ବର୍ଷା ଆସେ ।

 

ରଜସ୍ଵଳା ଧରଣୀର ବିବିକ୍ତ କବରୀ ଫିଟେ ।

ମେଘର ଚୂର୍ଣ୍ଣକୁନ୍ତଳ

ଛାଇ ହୁଏ ଇତସ୍ତତ

ଧରଣୀର ଲଲାଟ ଉପରେ

ଲଜ୍ୟାଶୀଳା କେଉଁ ଏକ

ରଜୋବତୀ ନାରୀପରି

ଏ ପୃଥି ଓଢ଼ଣା ଟାଣି

ଚୁପି ଚୁପି ଧିରେ ଧିରେ

ଓଠ ତଳେ ହସେ ।

 

ସେ ହସେ ଅମୃତ ଝରେ

ସେ ମୁହଁରେ ଗୋଲାପର

ରକ୍ତିମା ସଞ୍ଚରେ,

ସେ ଆଖିରେ ଇନ୍ଦ୍ରଧନୁ ରଙ୍ଗ ଶୋଭାପାଏ ।

ଆଜିର ଏ ବର୍ଷାର ଆସରେ

ମୋ ଆଖିରେ ଏଣେ କିନ୍ତୁ

ବନ୍ୟା ସୃଷ୍ଟି ହୁଏ ।

 

ମୋ ମନର କିଆରୀରେ

ଟପ୍ ଟାପ୍ ବିନ୍ଦୁ ବିନ୍ଦୁ ଲୁହ ଝରିପଡ଼େ

ଓ କିଆରୀ ଓଦା ହୁଏ..

ମୋ ଆଖିରେ ବନ୍ୟା ସୃଷ୍ଟି ହୁଏ ।

 

ଏ ବନ୍ୟାରେ ଭାସିଯାଏ

ମୋ ମନର ଦୁଃଖ, ଶୋକ, ରାଗ, ଅଭିମାନ

ପୁଞ୍ଜୀଭୂତ ନୈରାଶ୍ୟ ଓ ଆଶଙ୍କା ସକଳ ।

ମୋ ଆଖିର କୂଳଲଙ୍ଘି

ଲୁହର ଲହଡ଼ି ଭାଙ୍ଗେ

କେତେ ବନ ଅପନ୍ତରା

ପ୍ରାନ୍ତର ସେ ପାଖେ

ଏ ଲୁହର ସୁଅ ଛୁଟେ,

ଏ ଲୁହରେ ବନ୍ୟା ସୃଷ୍ଟି ହୁଏ ।

ମୋ ଆଖିର କୂଳେ କୂଳେ

ବାଲିବସ୍ତା ଧାଡ଼ି ଧାଡ଼ି ବିଛାଯାଏ,

ଏ ବନ୍ୟାରୁ ମୁକ୍ତିଲାଗି

କେତେ ପୁଣି ଅପଚେଷ୍ଟା ହୁଏ !

 

ଆଜି ଏହି ଆଷାଢ଼ର ପ୍ରଥମ ଦିବସେ

ଚୁପ୍ ଚାପ୍ ବସି ବସି

ମୋ ନିର୍ଜନ କୁଟୀରେ ଏକାକୀ

ମୁଁ ଦେଖୁଛି-

ମୋ ଆଖିରେ ବନ୍ୟାର ପ୍ଳାବନ !

 

ବିଜୁଳିର ଚମକରେ

ମୋ ଶରୀରେ ବେଳେ ବେଳେ

ଅନୁଭବ କରେଁ ମୁହିଁ

ଘନ ଘନ ବିଦ୍ୟୁତ୍ କମ୍ପନ... ।

 

ଶୀତ

 

ହେମବନ୍ତୀ ଧରଣୀର ଅଞ୍ଚଳରୁ ଧୀରେ

ହେମନ୍ତ ବିଦାୟ ନିଏ ।

ଶୀତ ଆସେ ରହି ରହି କୁହୁଡ଼ିର ଓଢ଼ଣାଭିତରେ

ବସୁନ୍ଧରା ହସିଉଠେ । ଫଳନ୍ତି ଧାନର ଖେତ ।

ସ୍ୱର୍ଣ୍ଣ ଶସ୍ୟଗନ୍ଧେ ଭରା ଏ ମାଟିର ଅଣୁ-ପରମାଣୁ ।

ଆନନ୍ଦର ଅଶ୍ରୁ ଝରେ

ବିନ୍ଦୁ ବିନ୍ଦୁ ଶିଶିରପାତରେ

କାର୍ତ୍ତିକର ଶସ୍ୟ-ଶିରୀ ଶୋଭାର ବିନ୍ୟାସେ ।

ବରଫ-ମୁକୁଟ ପିନ୍ଧି ଶୀତ ଆସେ

ସନ୍ତର୍ପଣେ ପବନର ବେଗମାନ ବ୍ୟୋମଯାନ ଚଢ଼ି

ଖେଳାଇ କୃଷକପ୍ରାଣେ ଆଶାର ଲହଡ଼ି ।

ଅଥବା ଆସଇ ଶୀତ

ନାଚି ନାଚି ଡେଇଁ ଡେଇଁ ଆମ ଘର ବଗିଚା କୋଣରୁ,

ଅବା ଆମ ଝରକାର ପରଦା ଉଢ଼ାଳୁ

ଉଙ୍କିମାରେ ଥିରି ଥିରି

ସଞ୍ଜ ଅବା ସକାଳର ପାହାନ୍ତି ପ୍ରହରେ ।

ମୁଁ ଶୀତକୁ ଭଲ ପାଏଁ

ଶୀତ ଭାରି ଭଲ ଲାଗେ ମୋତେ

ବରଷକେ ଆସେ ଥରେ-

ଶୀତ ଏଇ ଧରଣୀର ପରେ ।

ଆଜି ତେଣୁ ଏଇ ଅବସରେ

ପୃଥିବୀର ଜ୍ୱଳନ, ପୀଡ଼ିନ ଆଉ ରୌଦ୍ର–ପ୍ରଖରତା

ଉପଶମ ହେଉ ବାରେ ଶୀତର ଏ କୋମଳ

ଓ ନରମ ସ୍ପରଶେ

ହସିଉଠୁ ଏ ଧରଣୀ ପତ୍ର-ପୁଷ୍ପ-ଫଳଭରା

ସୌନ୍ଦର୍ଯ୍ୟ ରଭସେ ।

 

ବସନ୍ତ

 

ବସନ୍ତ ଆସଇ ପୁଣି ଆଜି ଆଉ ଥରେ

ଥିରି-ଥିରି ଦୋହଲି ଦୋହଲି

କଅଁଳ ପରଶ ତାର ଖେଳିଯାଏ

ଜୀବନର ପତରେ ପତରେ;

ଏ ମନଟା ସତେ ଅବା ଉଠଇ ମର୍‍ମରି ।

 

ନିର୍ଜନ ପ୍ରକୋଷ୍ଠଟିରେ ଏକାକୀ ମୁଁ ବସିଛି ମଉନେ

ମନରେ ମୋ’ ଅୟୁତ ଭାବନା....

କାହିଁ କେତେ ରଙ୍ଗରସ....

ଜୀବନର ପ୍ରଥମ ଲଗନେ....

କିଏ ସେହି ଷୋଡ଼ଷୀ ନବୀନା

ଚରଣ ଚଲାଇ ତାର ରୁଣୁଝୁଣୁ ନୂପୁର ଶବଦେ

ମୁଖରିତ କରୁଥିଲା ଏ ଭଗ୍ନ କୁଟୀର ।

 

ହସ, ଖେଳ, ସ୍ୱପ୍ନ, ଆଶା,

ପ୍ରଣୟର କୋଳାହଳ ମଧ୍ୟେ

ମୁଁ ନିଜକୁ ଭୁଲିଥିଲି ନିଜେ ବହୁବାର ।

 

ବସନ୍ତ ଆସିଛି ପୁଣି । ଖୋଲା ବାତାୟନ ଦେଇ-

ପଶିଆସେ ଝଲକାଏ ଗରମ ପବନ ।

ରାସ୍ତାର ସେପାଖ ଘରେ, ଛିଡ଼ାହୋଇ-

ଚାହିଁରହେ କଣେଇ କଣେଇ-

ଝରକାର ଫାଁକେ ଘନଘନ

କି କାରଣେ ? କିବା ଅଭିପ୍ରାୟ ? କିଏ ସେ ଯୁବତୀ ନାରୀ ?

ମନରେ ମୋ’ ପ୍ରଶ୍ନ ଜାଗେ ବହୁ ।

ଅଜାଣତେ ମୋ ଶରୀରେ ହଠାତ୍ ପୁଣି

ତଡ଼ିତ୍ ଯାଏ ଖେଳି-

ଏ ମଳୟ ସ୍ପର୍ଶ ପାଉ ପାଉ ।

 

ହାୟରେ ମଳୟ ! ତୁହି

ସତେ କି ବୁଝିବୁ ଆଜି

କଳକଳ ନଦୀତୀରେ ଅଶ୍ରୁର ଆଭାସ

ଜୀବନର କେତେ ନୂଆ ସ୍ୱେଚ୍ଛାଚାରୀ ସ୍ୱପ୍ନ ଯାଏ ଭାଜି !

ଆଉ ତ ଆସେନି ଫେରି ପୁରୁଣା ବିଶ୍ୱାସ ।

ହାୟରେ ବସନ୍ତ ! ତୁହି

ଏ କଥା ବି ଘୂଣାକ୍ଷରେ ଜାଣୁ

ଆଜିର ଜୀବନ ବଡ଼ ଜଟିଳ, ଦୁଃସହ

ରଙ୍ଗରସ ପ୍ରଣୟର କାହିଁ ଅବକାଶ ?

ଏ ମଣିଷ ପାଲଟିଛି ସ୍ଥାଣୁ !

ତୁ କି ବୁଝୁ ଏ ଜଡ଼ତା...ମଣିଷ କୋହ ?

Image

 

ଏକଲବ୍ୟ

 

ମହାଭାରତ ଅଧ୍ୟୟନ ଶେଷ କରି

ମୁଁ ମନକୁ ପ୍ରଶ୍ନ କରେ

ଗୁରୁଶ୍ରେଷ୍ଠ ଦ୍ରୋଣଙ୍କର ଦକ୍ଷିଣା ବିଷୟେ ।

 

ବହୁ ଯୋଦ୍ଧା ବହୁ ବୀର

ଭୀମ, କର୍ଣ୍ଣ, ଅର୍ଜୁନ ଓ

ଦୁର୍ଯ୍ୟୋଧନ, ଜୟଦ୍ରଥ, ଭୀଷ୍ମ, ଶଲ୍ୟ ଆଦି

ଅବା ମାମୁଁ ଶକୁନିର

କୂଟନୀତି..କପଟ ଶପଥ...

ମୋ ମନକୁ ଜମା ଛୁଇଁନାହିଁ ।

 

ମୁଁ କେବଳ ପ୍ରଶ୍ନ କରେ–

ଏକଲବ୍ୟ କିଆଁ ନିଜ

ଆଙ୍ଗୁଠିର ଉପହାର

ବାଢ଼ିଦେଲା ଗୁରୁ ଦ୍ରୋଣକରେ

ନିଜ ବିଦ୍ୟା ଯୁଦ୍ଧନିପୁଣତା

ସମର୍ପିଲା ଗୁରୁଙ୍କର ଟିକକ ଇଙ୍ଗିତେ ?

 

ଜାଣୁ ଆମେ–

ଦ୍ରୋଣ ନିଜେ କ୍ଷତ୍ରିୟଙ୍କ ଗୁରୁ ବୋଲି

ଦେଲେ ନାହିଁ ଶିକ୍ଷା ଏକଲବ୍ୟେ ।

ରାଜଗୁରୁ

ରାଜଅଭିମାନ

ଏକଲବ୍ୟ ଶୂଦ୍ର ବୋଲି

ଶିକ୍ଷାଶ୍ରମେ ନାହିଁ ତାର ସ୍ଥାନ !

ତଥାପି ଏକାନ୍ତଚିତ୍ତେ

ଗୁରୁଙ୍କୁ ସୁମରି

ଏକନିଷ୍ଠ ଅବ୍ୟର୍ଥ ସାଧନାଫଳେ

ଏକଲବ୍ୟ ଲାଭ କଲା

ମହାବିଦ୍ୟା ଯୁଦ୍ଧର କୌଶଳ ।

କିନ୍ତୁ ଶେଷେ–

ରାଜନୀତି କୂଟ ବିଦ୍ୟା ହେତୁ

ସବୁ ଶ୍ରମ ସାଧନା କୌଶଳ

ବ୍ୟର୍ଥ ହେଲା ଖାଲି ।

 

ଗୁରୁଙ୍କୁ ତୋଷିବା ପାଇଁ

ଏକଲବ୍ୟ କାଟିଦେଲା ହସି ହସି

ନିଜ ହାତୁ ନିଜର ଆଙ୍ଗୁଠି ।

 

କି ବିଚିତ୍ର ଗୁରୁଭକ୍ତି !

କି ଅଦ୍ଭୁତ ଗୁରୁଙ୍କର ଦକ୍ଷିଣା ଲାଳସା !

କି ବିଚିତ୍ର ଗୁରୁଭକ୍ତି !

କି ଅଦ୍ଭୁତ ଗୁରୁଙ୍କର ଦକ୍ଷିଣା ଲାଳସା !

ଧନୁର୍ଦ୍ଧର ଏକଲବ୍ୟ

ନିରସ୍ତ୍ର ନିର୍ବାକ !

ତ୍ୟାଗ ଆଉ ସାଧନାର

କି ଅପୂର୍ବ ସମାବେଶ !

କୁରୁକ୍ଷେତ୍ର ଯୁଦ୍ଧ ହେଲା ଶେଷ

କେତେ ବୀର ଝାସ ଦେଲେ

ରଣ-କ୍ଷେତ୍ରେ

ରକ୍ତର ଉଷୁମ ସ୍ରୋତେ

ଯୁଦ୍ଧଭୂମି ହୋଇଲା ଉତ୍ତପ୍ତ ।

 

ସେସବୁ କାହାଣୀ ଶୁଣି

ମହାଭାରତ ଅଧ୍ୟୟନପରେ

ଗୁରୁଙ୍କ ଦକ୍ଷିଣା କଥା

ମୋ ମନରେ କେତେ କାହିଁ

ପ୍ରଶ୍ନ ସୃଷ୍ଟି କରେ ।

 

ଧନ୍ୟ ତୁମେ ବୀର ଏକଲବ୍ୟ !

ଧନ୍ୟ ତୁମ ଏକାଗ୍ରତା, ସାଧନା ଓ

ଗୁରୁଭକ୍ତି ଅପୂର୍ବ ଆଦର୍ଶ !

ଧନ୍ୟ ତୁମ ପିତାମାତା

ଧନ୍ୟ ଏଇ ଦେଶ !

Image

 

ପତ୍ର, ଫୁଲ ଓ ଫଳଙ୍କପାଇଁ (୧)

 

ଏବଂ ମୁଁ କହିବି ଯଦି ପତ୍ରଙ୍କର କାନ୍ଦଣା ବୋବାଳି

ଫୁଲମାନେ ଶୁଣୁଥିଲେ

ଲୁଚି ଲୁଚି ବୃକ୍ଷର ଶାଖାରେ;

ପତ୍ର କ’ଣ କାନ୍ଦେ କେବେ ?

ଫୁଲମାନେ ହସି ହସି

ମାରିଲେଣି ତାଳି !

ପତ୍ରଙ୍କ କାନ୍ଦଣା ଆଉ ଫୁଲଙ୍କର ହସ ଅବା

ଆମ ଆଗୁ କିଏ ଶୁଣିଥିଲେ ?

 

ମଜା କଥା ! ବୃକ୍ଷ ଡାକି, ଡାଳ ଆଉ ମୂଳକୁ ପଚାରେ–

‘କାରଣଟା କ’ଣ ହୋଇପାରେ ?

ଶୀତ ରାତି ପାହାନ୍ତିରେ

ଟୋପା ଟୋପା ଶିଶିରର ବିନ୍ଦୁ ଝରି ଝରି,

ଲୋତକର ବନ୍ୟା ସୃଷ୍ଟି ହୁଏ;

ଆଉ ଏହି ଫୁଲମାନେ ସକାଳର କଅଁଳ ଖରାରେ

ଅଲାଜୁକୀ ଦାନ୍ତୁରୀ ବାଳିକାପରି

ଠୋ ଠୋ ହସିଉଠୁଛନ୍ତି ।

ଆଶ୍ଚର୍ଯ୍ୟ ଲାଗଇ ମୋତେ !

ପତ୍ର-ପୁଷ୍ପ-ଫଳଭରା ବୃକ୍ଷ ତେଣେ

ଗୋଟାପଣେ ଥରିଉଠିଲାଣି ।

ପବନର ବେଗ ହୁଏ...

ଆକାଶରେ ବିଜୁଳି ଛଟକ... ।

ଫଳଗୁଡ଼ା ଦୋହଲନ୍ତି

(ତାଳଗଛ ବାହୁଙ୍ଗାର ବାୟାଚଢ଼ୈ ବସା ଯେଉଁପରି)

କୁରୁକ୍ଷେତ୍ର ଯୁଦ୍ଧ ହେଲା ଶେଷ

କେତେ ବୀର ଝାସ ଦେଲେ

ରଣ-କ୍ଷେତ୍ରେ

ରକ୍ତର ଉଷୁମ ସ୍ରୋତେ

ଯୁଦ୍ଧଭୂମି ହୋଇଲା ଉତ୍ତପ୍ତ ।

 

ସେସବୁ କାହାଣୀ ଶୁଣି

ମହାଭାରତ ଅଧ୍ୟୟନପରେ

ଗୁରୁଙ୍କ ଦକ୍ଷିଣା କଥା

ମୋ ମନରେ କେତେ କାହିଁ

ପ୍ରଶ୍ନ ସୃଷ୍ଟି କରେ ।

 

ଧନ୍ୟ ତୁମେ ବୀର ଏକଲବ୍ୟ !

ଧନ୍ୟ ତୁମ ଏକାଗ୍ରତା, ସାଧନା ଓ

ଗୁରୁଭକ୍ତି ଅପୂର୍ବ ଆଦର୍ଶ !

ଧନ୍ୟ ତୁମ ପିତାମାତା

ଧନ୍ୟ ଏଇ ଦେଶ !

Image

 

ପତ୍ର, ଫୁଲ ଓ ଫଳଙ୍କପାଇଁ (୨)

 

ଏବଂ ମୁଁ କହିବି ଯଦି ପତ୍ରଙ୍କର କାନ୍ଦଣା ବୋବାଳି

ଫୁଲମାନେ ଶୁଣୁଥିଲେ

ଲୁଚି ଲୁଚି ବୃକ୍ଷର ଶାଖାରେ;

ପତ୍ର କ’ଣ କାନ୍ଦେ କେବେ ?

ଫୁଲମାନେ ହସି ହସି

ମାରିଲେଣି ତାଳି !

ପତ୍ରଙ୍କ କାନ୍ଦଣା ଆଉ ଫୁଲଙ୍କର ହସ ଅବା

ଆମ ଆଗୁ କିଏ ଶୁଣିଥିଲେ ?

 

ମଜା କଥା ! ବୃକ୍ଷ ଡାକି, ଡାଳ ଆଉ ମୂଳକୁ ପଚାରେ–

‘କାରଣଟା କ’ଣ ହୋଇପାରେ ?’

ଶୀତ ରାତି ପାହାନ୍ତିରେ

ଟୋପା ଟୋପା ଶିଶିରର ବିନ୍ଦୁ ଝରି ଝରି,

ଲୋତକର ବନ୍ୟା ସୃଷ୍ଟି ହୁଏ;

ଆଉ ଏହି ଫୁଲମାନେ ସକାଳର କଅଁଳ ଖରାରେ

ଅଲାଜୁକୀ ଦାନ୍ତୁରୀ ବାଳିକାପରି

ଠୋ ଠୋ ହସିଉଠୁଛନ୍ତି ।

ଆଶ୍ଚର୍ଯ୍ୟ ଲାଗଇ ମୋତେ !

ପତ୍ର-ପୁଷ୍ପ-ଫଳଭରା ବୃକ୍ଷ ତେଣେ

ଗୋଟାପଣେ ଥରିଉଠିଲାଣି ।

ପବନର ବେଗ ହୁଏ...

ଆକାଶରେ ବିଜୁଳି ଛଟକ... ।

ଫଳଗୁଡ଼ା ଦୋହଲନ୍ତି

(ତାଳଗଛ ବାହୁଙ୍ଗାର ବାୟାଚଢ଼ୈ ବସା ଯେଉଁପରି)

ମୁଁ କହିଲି, ବନ୍ଦ କର ନାଟକୀୟ ଏସବୁ ତମାସା

ବନ୍ଦ କର ହସ ଆଉ କାନ୍ଦର ବୋବାଳି ।

କିନ୍ତୁ ସେଇ ପତ୍ର ଆଉ ଫୁଲଙ୍କର

ଅଦ୍ଭୁତ ମୀମାଂସା ।

ବାଟୋଇର ଦୃଷ୍ଟି ପଡ଼େ ଫଳଙ୍କ ଉପରେ ।

ଟେକା ମାରି ଝଡ଼ାଇବେ ବଗୁଲିଆ ପିଲାଗୁଡ଼ା-

କଞ୍ଚା ଅବ । ପାଚିଲାରୁ କିଛି ।

ସେ ଗଛରେ କଣ୍ଟା ନାହିଁ-ଫଳ ଭାରି ମିଠା ।

ଫୁଲମାନେ ହସୁଛନ୍ତି ତଥାପି, ସେଗୁଡ଼ା–

ଏଡ଼େ ବେହ୍ୟା, ଏଡ଼ିକି ନିଲଠା !

 

ଟେକାମାଡ଼ ବୃଷ୍ଟି ହେଲା ।

ଫଳଯାକ ଲୋଟିଯା’ନ୍ତି–

ମାଟିପରେ ଶରୀରରେ କ୍ଷତଚିହ୍ନ ବହି ।

ପତ୍ରମାନେ କିଛିଟା ବି ଆଘାତ ପା’ନ୍ତି ।

ଆଉ ଫୁଲମାନେ ? ...ବୃନ୍ତଚ୍ୟୁତ !

ଗୋଟି ଗୋଟି ଖିନ୍‍ଭିନ୍‍ ଝଡ଼ିଯାନ୍ତି ଇତସ୍ତତଃ ହୋଇ !

ଏ ସତ୍ତ୍ୱେ ଯଦି ମୁଁ କହେଁ-

ପତ୍ରଙ୍କର କାନ୍ଦଣା ଓ ଫୁଲଙ୍କର ହସ ।

ଆମେସବୁ ଦେଖିଥିଲୁ (ଶୁଣୁଥିଲୁ) ରାସ୍ତାକଡ଼ ନିଛାଟିଆ

–ଅନ୍ଧାରୁଆ କୁଡ଼ିଆଭିତରୁ,

ତୁମେ ବୋଧେ ମିଛ ଭାବି ବେଦମ୍ ହସିବ ।

ହସିପାର, ମନା ନାହିଁ, ଯେତେ ଖୁସି ହସ ।

Image

 

ଏକ ଉଦାସୀ ମନର କବିତା

 

‘ଜୀବନରେ ସବୁଦିନ ସମାନ ଯାଏନା’

ମୁଁ ଶୁଣିଛି ନୀତିବାକ୍ୟ । କେତେ କାହିଁ

ଶୁଣିଛି ମୁଁ ରଜା ପୁଣି ଫକୀର ହେବାର;

ଇତିହାସ ରଖିଛି ତା ନଜି ର ସକଳ ।

ନ ହେଲେ ବା ତୁମେ ନିଜେ ଦେଖିପାର

ତୁମ ଗାଁ, ସହର ବା ନିଜ ଘର

ପଡ଼ୋଶୀଙ୍କ ମେଳେ

କେତେ କାହିଁ ଜୀବନର ଖାଲଢ଼ିପ

ଉଠାପଡ଼ା ... କେ ଅମୀର ହୁଏ ବା ଫକୀର

ମାତ୍ର କେଇ ଦିନଟା ଭିତରେ,

ଅବା କେଉଁ ନିଃସ୍ୱ ସର୍ବହରା

ଥଳକୂଳ ହରାଇ ଏକଦା

ଭୋଗ କରେ ରାଜସୁଖ

ଅତି ଅଚାନକ

ଭାବି ନ ଥିଲା ସେ ଯାହା ଦିବା ସ୍ୱପ୍ନେ ଅବା ।

 

କିଛି ନୁହେଁ ଅସମ୍ଭବ

ଏଇଠି ଏ ଦୁନିଆର

ଲାଲ୍ ନେଳି ଜୁଳୁଜୁଳୁ

ଆଲୋକର ମେଳେ

ସବୁ ପୁଣି ଯାଉଛି ବଦଳି ।

ଟିକିଏ ଉଦଯୋଗ...ସାମାନ୍ୟ ଚେଷ୍ଟା

ଆଉ କିଛି ସଫେଇ ହାତର–

ଖୋସାମତି…ଧପ୍ପାବାଜି ଛଳନା ଚୁଗୁଲି

ଏସବୁତ ନିହାତି ମାମୁଲି ! !

ତୁମେ ଯଦି ଚାହଁ କେବେ

ଉଠିବାକୁ ସମାଜର ସର୍ବୋଚ୍ଚ ପାହାଚ

ବିଦ୍ୟା ବୁଦ୍ଧି ବିବେକ ଓ ଜ୍ଞାନର ଗରିମା....

ଏସବୁର ଲୋଡ଼ା ନାହିଁ କିଛି ।

ବରଂ ତୁମେ କହି ପାର

ଏଗୁଡ଼ିକ ନିହାତି ପୁରୁଣା-

ଏବଂ ଡାର୍ଟି ଓବ୍ସୋଲେଟ୍ କେବଳ ।

ତେଣୁ ଆଜି

ତୁମେ ଓ ମୁଁ–

ଏବଂ ଯେଉଁମାନେ ଆମସହ

ଖେଳାବୁଲା କରନ୍ତି ନିରତ

ଆମ ଯେତେ ସମସାମୟିକ

ସମଧର୍ମୀ ସହଯୋ

କବି ଜ୍ଞାନୀ ବୁଦ୍ଧିଜିବୀ

କଳାକାର ଦଳ

(ସହୃଦୟ ପାଠକ ସକଳ)

ଆମ ପାଇଁ ଖୋଲା ଆଜି

ଦୁଇଗୋଟି ପଥ

ଏକ ପଥେ ପୁଷ୍ପ ବୃଷ୍ଟି

ଯାତାୟାତ...ସମାଗମ...ଲୋକଭିଡ଼

ଲୋଭନୀୟ ପରିପେକ୍ଷୀ ତାର;

ଅପର ପଥଟି ଅତି କଣ୍ଟକିତ

ଦୁର୍ବାର ଦୁସ୍ତର ।

ପ୍ରଥମ ପଥର ଧାରେ-

ଗୋଟି ଗୋଟି ମାଇଲ ଖୁଣ୍ଟ

ଅତିକ୍ରମି ଚାଲ...

କି ଦେଖିବ ଝଲ୍‍ମଲ୍

ରୂପେଲୀ ପରଦା ତଳେ

ହୀରା ନୀଳା ମୋତି ଓ ମାଣିକ୍ୟ

ଏବଂ ଯେତେ ଦାମିକା ଓ ମୂଲ୍ୟବାନ

ପଦାର୍ଥର ବିରାଟ ସମ୍ଭାର ।

‘କିନ୍ତୁ ସାବଧାନ !’

ପଛରୁ ଶୁଭୁଛି ଡାକ

ବିବେକର କଡ଼ା ସ୍ୱର-

“ସାବଧାନ ! ଏ ପଥର ଯାତ୍ରୀ ଯେଉଁମାନେ

ତୁମେ କି ପାରୁନ ଜାଣି

ଏ ପଥର ପରିଣତି ଅତି କ୍ରୂର କଠୋର ନିହାତି

ଯଦିଓ ତା ଦେଖାଯାଏ

ତୁମ ଆଗେ ଏକାନ୍ତ ସରଳ ଆଉ

ଲୋଭନୀୟ ଅତି

ତେବେ କି କରିବ ?

ବାଛି ନେବ ଅପର ପଥଟି

ବିବେକର ତଡ଼ନା ଯେହେତୁ ?

ଅବା ତୁମେ ବିବେକର ଗଳା ଚିପି

ପଥ ତୁମ କରିବ ସହଜ...

ଯେଉଁପରି କରୁଛନ୍ତି, ଆମ ଦେଶେ

ବହୁ ଜନ-ନେତା

ଆଉ ସମାଜର ବଡ଼ ପଣ୍ଡାମାନେ...?

କି କରିବ ତେବେ ?

ତୁମ ଆଗେ ଦୁଇଗୋଟି ପଥ ।

ପ୍ରଥମଟି ନା ଦ୍ୱିତୀୟଟି–

କହ ତୁମେ ବାଛିନେବ

କେଉଁ ପଥ ?

ଜୀବନର ଶୁଦ୍ଧ ପୂତ ଅତି ସାଧା

ସାଧାରଣ ପଥ ?

ଅଥବା ଏ ଦୁନିଆଁ ର ପ୍ରଚଳିତ

ଲୋଭନୀୟ କମନୀୟ

ଆଶା ସ୍ଵପ୍ନ କଳ୍ପନାର

ବହୁଜନ ସମାଦୃତ ପଥ... ?

 

ବୋଧହୁଏ, ନୀତିବାକ୍ୟ-ଶାସ୍ତ୍ର

ଆଉ ପୁରାଣର ରହିଛି ନଜିର୍

ଆଜି ଯେ ରାଜେଦ୍ରାସନେ....

କାଲି ସେ ଫକୀର୍ !

ଫକୀର୍ ବି ହେଉଛି ଅମିର୍... !

ଗତସ୍ୟ ଶୋଚନା ନାସ୍ତି–

ମହାଜନୋ ଯେନ ଗତଃ ସଃ ପନ୍ଥା ।

Image

 

ନୂତନ ରାଜଧାନୀରେ ବଂଧୁମିଳନ

 

ଓଡ଼ିଶାର ନୂଆଁ ମାଟି... ନୂଆଁ ଲୋକ... ନୂଆଁ ରାଜଧାନୀ

ରାସ୍ତା, ଘର, ଦୋକାନ ଓ ବଜାରରେ–

ନୂଆଁ କିଛି... ନୂତନ ଧମନୀ ।

ପାଣିକଳ, ପିଚୁରାସ୍ତା, ଧଳାଘର,

ବିଜୁଳି ଆଲୋକ...

ପୁରାତନ ରହିଯାଏ

ବହୁପଛେ,

ଯେଉଁପରି ଆମରି ଏ ଆଜିର କଟକ ।

 

ନୂଆଁ ଏହି ରାଜଧାନୀ କୋଳେ

ଦେଖାହୁଏ, କେତେ କାହିଁ

ଅତୀତର ପରିଚିତ... ଅର୍ଦ୍ଧ-ପରିଚିତ

ରାସ୍ତାରେ ବା ଅଫିସର ହତଭାଗା କିରାନୀର ।

ଟେବୁଲ ପାଖରେ ।

ମ୍ଳାନ ମୁଖ, ଶୀର୍ଣ୍ଣ ତନୁ

ରୁଗ୍ଣ ମନେ ହତାଶାର ଛାପ

କପାଳରେ ଘର୍ମ ବାରି,

ଆଖି ତଳେ ଅତୃପି ଓ ଅଶାନ୍ତିର ସୁସ୍ପଷ୍ଟ ଅଲେଖ ।

 

ବେଳେ ବେଳେ ବିଶ୍ଵାସ ହୁଏନା

ଏଇ ଉମା, ଚନ୍ଦ୍ର, ହରି, ନରେଶ, ଭରତ...

(ସେମାନେ ମୋ ଅତି ପରିଚିତ)

ଜୀବନର ରଣକ୍ଷେତ୍ରେ

ଯୁଝି ଯୁଝି ହୋଇବେ ପରାସ୍ତ !

 

କ୍ଷତ ବିକ୍ଷତ ଶରୀର...ହା ହୁତାଶ-ଯନ୍ତ୍ରଣା ବିଳାପ

ସେମାନେ କି ସତେ ଅଭିଶପ୍ତ !

ନୂଆ ଏଇ ରାଜଧାନୀ କୋଳେ

କେବେ କାହିଁ ଦେଖା ହେଲେ

କିଏ ଖାଲି ପ୍ରଶ୍ନ କରେ-”ଆଜିକାଲି କେଉଁଠି ରହିଛ”?

ଅବା କିଏ ଶୁଷ୍କ ମୁଖେ “କିମିତି ରହିଛ” କହି

ଯାଏ ଚାଲି

ଉତ୍ତରର ଅପେକ୍ଷା ନ କରି

ବାସ୍ ସେତିକି..... ।

 

ବେଳେ ବେଳେ ଦେଖାହୁଏ

ଭାଗ୍ୟବାନ କେତେ ଜଣ ଆମରି ଭିତରୁ

‘ଆମ୍ବାସଡ଼ାର୍’ ‘ଫିଏଟ୍’ ଅବା ‘ଜିପ୍’ ଧରି

କରୁଥାନ୍ତି ପରିକ୍ରମା

ସହର ତମାମ୍ ।

 

ସେଦିନ ହୋଇଲା ଦେଖା ବଂଧୁ ମୋର ନୀଳମଣି ସାଥେ

ଗୋରା ଦେହ...ଦୀର୍ଘ ବପୁ....ସାହେବୀ ପୋଷାକ

କଲେଜର ଥିଲା ସିଏ ସାମ୍ବାଦିକ

ବକ୍ତା ଆଉ ତରୁଣ ରସିକ... ।

ଜୀବନରେ ତିନି ଥର ହୋଇଅଛି ଫେଲ୍

(ଅବଶ୍ୟ ସେ କହିବ ତା ଭୁଲ !)

ନିକଟରେ ପାଇଅଛି ଉଚ୍ଚ ଏକ ପଦ

ସେ ଦିନ ହୋଇଲା ଦେଖା

ତା ସାଥିରେ

ଅକସ୍ମାତ୍

ନୂତନ ଏ ରାଜଧାନୀ ସୁବିସ୍ତୁତ ରାସ୍ତାର ଉପରେ ।

ପଦୁଟିଏ କହିଲାନି କଥା

ଆଭିଜାତ୍ୟ ମୁଖ ତନୁ ସ୍ମିତ ହସି

ଗଲା ଚାଲି ଶୁଣାଇ ତା’ ମଟରର ହର୍ଣ୍ଣ ।

ମନେ ହେଲା

ଏଇ ବୋଧେ ବନ୍ଧୁତ୍ଵର ଉତ୍ତମ ରିଟର୍ଣ୍ଣ ।

ଆଉ ଦିନେ–

ଦେଖା ହେଲା ବଂଧୁ ମୋର ରୁମ୍ ମେଟ୍

ସମରେନ୍ଦ୍ର ସାଥେ

ଜ୍ୟୋତିଷ ବିଦ୍ୟାରେ ତାର ପ୍ରଗାଢ଼ ବିଶ୍ୱାସ ।

କହିଲା ସେ ତିନି ମାସ ପରେ

ପାଉ ଅଛି ଆଉ ଏକ ନୂଆ ଉଚ୍ଚ ପଦ...

ତା’ପରେ କରିବ ପୁଣି ନୂଆଁ କିଛି

ନୂତନ ଯୋଜନା

ଆପାତତଃ ସେକ୍ରେଟାରୀ

କେନ୍ଦ୍ର ଶାସନରେ

ଅବା ହେବ ରାଷ୍ଟ୍ରଦୂତ.....

ଆଉ କିଛି ସବୁଠୁ ହୁଏତ

କହିଛନ୍ତି ଜ୍ୟୋତିର୍ବିଦ୍.....ନିର୍ଭୁଲ ଗଣନା

ଏଇ ତାର ଆଶା ଆଉ ସ୍ୱପ୍ନର ଯୋଜନା ।

 

ସ୍ଵପନରେ ବେଳେବେଳେ

ହଜାଇ ମୁଁ ଆପଣାକୁ ଆପେ

ନିଜ ଭାଗ୍ୟ, ପଦ, ଜ୍ଞାନ

ମର୍ଯ୍ୟାଦା ସମ୍ମାନ–

ଯାହା କିଛି, ଜାଣିଥିବ ହୁଏତ ତା

ସମାଜରେ ସବୁଠୁ ନିଊନ,

ଭୁଲି ନିଜ ଜୀବନର–

ଅପାସୋରା ନିର୍ଲଜ ଦଇନ୍ୟ,

ନୂଆ ଏହି ରାଜଧାନୀ କୋଳେ–

ମୁଁ ଦେଖଇ ସଭ୍ୟତାର ନାଟକୀୟ ଚୂଡ଼ା–

ମୋର ରୂପ ବିନ୍ୟାସ ଭିତରେ !

 

‘ମୁଁ’ ର ‘ମୁଁ’ ତ୍ଵ ଛାଡ଼ି

ଯେବେ ମୁହିଁ

ଆଲୋକର ଗତିସାଥେ–

ତାଳଦେଇ

ଛୁଟିଯାଏ କେଉଁ ଏକ ନୂତନ ଗ୍ରହକୁ,

(ରକେଟ୍ ଯାତ୍ରୀ ମୁହିଁ

ରକେଟ୍ ମୋର ଯାନ

ଫିଏଟ୍‍ କିମ୍ବା ଆମ୍ବାସାଡ଼ାର ନୁହଁ !)

ମୋ ଗତିରେ ବେଗ ଦେଖି

ମୋ ଯାତ୍ରାର ପଥ ଚାହିଁ ଚାହିଁ

ନୂଆ ଏହି ରାଜଧାନୀ

ଗୋଲେଇ ଛକରେ–

ଲୋକଭିଡ଼

ଅସମ୍ଭାଳ ।

ବୃଦ୍ଧ, ଯୁବା, ପିଅନ୍, ଅଫିସର୍

(କୁମାରୀ ଓ ତରୁଣୀ ସକଳ)

ସଭିଏଁ ଆତୁର

(କେଜାଣି କାହିଁକି !!)

 

ଉଡ଼ୁ ଉଡ଼ୁ ମେଘଯୁକ୍ତ

ନୀଳ ଆକାଶରେ

ନୀଳବର୍ଣ୍ଣ ଗ୍ଲାସ୍ ଦିଆ

ଗଗ୍‍ଲ୍‍ସ୍‍ ଭିତରୁ

ବେଳେବେଳେ ଚାହିଁ ଦେଖେ ଯେବେ...

 

କେତେ ନ୍ୟୁନ

ସତେ ଏଇ ରାଜଧାନୀ ଗୋଟାକ ତମାମ୍ !

ଆଉ ନ୍ୟୂନ ସବୁଠାରୁ

ଏଠାକାର ଅଧିବାସୀ !

 

ଅଯଥା ଏ ଆତ୍ମଗର୍ବ

ତୁଚ୍ଛ ଅହଂଙ୍କାର,

ଅଭିମାନ...ବଡ଼ିମା ସକଳ–

ମୋ ଆଗରେ, ମନେହେଲା–

ମୋର ସେଇ ତଥାଗତ

ଭାଗ୍ୟବାନ୍ ବଂଧୁମାନଙ୍କର !

Image

 

ସ୍ୱାଧୀନତା : ଗୋଟିଏ ମନର

 

ମୁଁ ଏକ ପିଞ୍ଜରାବଦ୍ଧ ପକ୍ଷୀ ସମ

ଭୋଗୁଛି କଷଣ । ମୋ ନିଜର ସ୍ଵାଧୀନତାଟିକ

ମୁଁ ଆପେ ହରାଇ ବସି, ଆଜି ମୁହିଁ ହେଲି ଏତେସରି ।

ହେ ମୋର ବିବେକଗଣ

ମୋ ମନର ଏକନିଷ୍ଠ ହେ ପ୍ରହରୀଗଣ

ପ୍ରଭୁତ୍ୱର ମୁଖା ଖୋଲି

ମୋ ମନର ସ୍ୱେଚ୍ଛାଚାରୀ

ଉଆସର ଦ୍ଵାର ଆର ପାଶେ

ସେ କିଏ ରାକ୍ଷସ ମୋତେ ଭୟଭୀତ କରେ ।

 

ମୁଁ ଏକାକୀ ନିରାଶ୍ରୟ

ମୋ ମନର ବିବେକ ଓ ପ୍ରହରୀ ସକଳ

ମୋ ନିଜ ପ୍ରଭୁତ୍ଵ ଭୁଲି ମୋତେ କିଆଁ

କର ହତାଦର ?

ଜୀବନରେ ସ୍ଵାଧୀନତା ଶ୍ରେୟଃ ମୋର ।

 

ବରଂ ମୃତ୍ୟୁ ବରଣୀୟ; କିନ୍ତୁ ଏହି

ଶୃଙ୍ଖଳର ବନ୍ଧନ ଭିତରେ ମୁହିଁ ଜୀବନ୍‍ମୃତ

ଏବଂ ମୋର ଆଶା, ସ୍ଵପ୍ନ ଅଭିଳାଷ

ସମାଧିସ୍ଥ ପ୍ରାୟ ।

ବରଂ ଏ ପୃଥିବୀଠାରୁ ଚନ୍ଦ୍ର ଗ୍ରହ

ବହୁ ଗୁଣେ ହେବ ଶ୍ରେୟସ୍କର ।

ତେଣୁ ପ୍ରଭୁ ! ମୋ ମନର ସ୍ଵାଧୀନତା ରକ୍ଷା ଲାଗି

ମୋତେ ବରଂ ଶାସ୍ତି ଦିଅ । ମୁଁ ପ୍ରସ୍ତୁତ,

ମାଟିର ମମତା ଛାଡ଼ି, ଯିବା ପାଇଁ ଗ୍ରହ-ଗ୍ରହାନ୍ତର ।

Image